ଚାକିରୀ ଦେବୁ କହି ୧୫ ବର୍ଷର ନାବାଳିକାକୁ କୋଲକତା ଡାକି ଗଣ ଦୁଷ୍କର୍ମ କଲେ ଆଉ ତାପରେ ବିକିଦେଲେ
11/09/2018 at 1:37 PM

ଜଳେଶ୍ବର ୧୧/୯: ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଜଳେଶ୍ବର ଅଂଚଳର ଜଣେ ନାବାଳିକାଙ୍କୁ କୋଲକାତାରେ ଗଣଦୁଷ୍କର୍ମ କରାଯିବା ସହ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକା ଏବେ ଖସି ଆସି ଜଳେଶ୍ବରରେ ପହଂଚିବାପରେ ନ୍ୟାୟ ପାଇଁ ଜଳେଶ୍ବର ଥାନାର ଦ୍ବାରସ୍ଥ ହୋଇଛନ୍ତି। । ଏହି ଘଟଣା ପଛରେ ଯୁବତୀ ଚାଲାଣ ରାକେଟର ହାତ ଥିବା ଏବେ ସନ୍ଦେହ ଘେରକୁ ଆସିଛି।
ଜଳେଶ୍ବର ଥାନାରେ ଅଭିଯୋଗ କରିଥିବା ଏହି ନାବାଳିକା ରଶ୍ମୀ(ଛଦ୍ମନାମ)ଙ୍କ ଘର ଜଳେଶ୍ବର ବ୍ଲକ୍ ଅଞ୍ଚଳରେ। ରଶ୍ମୀଙ୍କ ବୟସ ୧୫ବର୍ଷ। ରଶ୍ମୀଙ୍କ ଅଭିଯୋଗ ଅନୁଯାୟୀ, ପରିବାରର ଆର୍ଥିକ ଅନଟନର ସୁଯୋଗ ନେଇ ସାନରାଉତପଡ଼ାର ଅଜୟ ହେମ୍ବ୍ରମ୍ ଓ ଡିଙ୍ଗାଶାଳର ଅଜୟ ଜେନା ତିନି ସପ୍ତାହ ତଳେ ତାଙ୍କୁ ଡାକି କୋଲକାତାରେ ଚାକିରି କରାଇ ଦେବାର ପ୍ରତିଶ୍ରୃତି ଦେଇଥିଲେ। କୋଲକାତାରେ ତାଙ୍କୁ କିଛିଦିନ ରଖି ଗଣଦୁଷ୍କର୍ମ କରିଥିଲେ। ଶେଷରେ ତାଙ୍କୁ ଜଣେ ଘର ମାଲିକକୁ ବିକ୍ରି କରି ଦେଇଥିଲେ। ରଶ୍ମୀ କୌଣସିମତେ ସେଠାରୁ ଏବେ ଖସି ଆସିଛନ୍ତି। ଜଳେଶ୍ବର ଆଇଆଇସି ପ୍ରଦୀପ କୁମାର ମାଝୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଜିଲ୍ଲାରେ ଏକ ଯୁବତୀ ଚାଲାଣ ରାକେଟ କାମ କରୁଥିବା ଦୀର୍ଘଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ଏହି ରାକେଟର ଯୁବକମାନେ ଗାଁ ଗହଳିର ଗରିବ ଯୁବତୀ,ନାବାଳିକାଙ୍କୁ ଟାର୍ଗେଟ୍ କରନ୍ତି। ବିଭିନ୍ନ ଆଳରେ ସେମାନଙ୍କୁ ଫସାଇ ଦୂର ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ କୋଲକାତା,ଦିଲ୍ଲୀ ଓ ମୁମ୍ବାଇରେ ବିକି ଦେଉଛନ୍ତି।