୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ୩ମାସ ଧରି ଦୁଷ୍କର୍ମ କରିଥିବା ବାପ ଓ ପୁଅଙ୍କୁ ଧରିବା ପାଇଁ ତାଳଚେରରେ ଚଢ଼ଉ କରୁଛି ଝାରସୁଗୁଡ଼ା ପୋଲିସ୍

Published By : Prameya-News7 Bureau | October 16, 2018 IST

ଝାରସୁଗୁଡ଼ା ୧୬/୧୦: ଝାରସୁଗୁଡ଼ାରେ ଜଣେ ୧୫ବର୍ଷ ବୟସ୍କା ନାବାଳିକାଙ୍କୁ ତାଳଚେରରେ ବାପ ଓ ପୁଅ ଦୁଷ୍କର୍ମ କରିବା ଘଟଣାରେ ଝାରସୁଗୁଡ଼ା ପୋଲିସ୍ ତାଳଚେରରେ ପହଞ୍ଚି ଠାବ କରିବାକୁ ଉଦ୍ୟମ ଚଳାଇଛି। ଦୁଷ୍କର୍ମ ଅଭିଯୋଗ କରିଥିବା ନାବାଳିକା ସୂଚନା ଆଧାରରେ ଝାରସୁଗୁଡ଼ା ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗତକାଲି ନାବାଳିକା ଝାରସୁଗୁଡ଼ା ବିଟି ଏମ ଫାଣ୍ଡିରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ତାଙ୍କର ଡାକ୍ତରୀ ମାଇନା ହୋଇଥିଲା। ଡାକ୍ତରୀ ମାଇନା ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି। ଫଳରେ ପୋଲିସ୍ ଏବେ ଆକ୍ସନ୍ ମୋଡ଼କୁ ଆସିଛି। ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଏହି ନାବାଳିକାଙ୍କ ଘର ଝାରସୁଗୁଡ଼ା ଉପକଣ୍ଠରେ ଥିବା ଏକ ଆଦିବାସୀ ପଡ଼ାରେ। ଗତ ୬ମାସ ତଳେ ନାବାଳିକାଙ୍କ ମାଙ୍କ ମୃତ୍ୟୁ ହୋଇଯାଇଛି। ବାପ ମଦ୍ୟପ ଥିବାରୁ ନାବାଳିକା ଏବଂ ତାଙ୍କ ସାନ ଭାଇ କଥା କେହି ବୁଝୁନଥିଲେ। ଭୋକଉପାସରେ ଜୀବନ କାଟୁଥିବା ନାବାଳିକାଙ୍କୁ ଝାରସୁଗୁଡ଼ାର ଜଣେ ମହିଳା ନେଇ ତାଳଚେରର ଜଣଙ୍କ ଘରେ କାମରେ ଲଗାଇଥିଲେ। ଗତ ୩ମାସ ହେଲା ସେଠାରେ ନାବାଳିକା କାମ କରୁଥିବାବେଳେ ସଂପୃକ୍ତ ଘରର ମାଲିକ ଏବଂ ତାଙ୍କ ପୁଅ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ। ଦୀର୍ଘ ୩ମାସ ହେଲା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଶେଷରେ କୈାଶଳକ୍ରମେ ସେଠାରୁ ଖସିଆସିଥିଲେ। ଝାରସୁଗୁଡ଼ାରେ ପହଞ୍ଚିବାପରେ ସାହିପଡ଼ିଶାଙ୍କ ପରାମର୍ଶକ୍ରମେ ଗତକାଲି ନାବାଳିକା  ବିଟିଏମ୍ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ୍ ଭାରତୀୟ ଦଣ୍ଡବିଧି ଆଇନରେ ୩୭୬ ଏବଂ ପକ୍ସୋ ଆଇନ୍ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କୁ ତାଳଚେର ନେଇଥିବା ମହିଳାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲା। କାରଣ ସଂପୃକ୍ତ ମହିଳା ଝାରସୁଗୁଡ଼ା ପୁରୁଣାବସ୍ତିର ବୋଲି ନାବାଳିକା ପ୍ରଥମେ କହିଥିବାବେଳେ ପରବର୍ତ୍ତୀ ସମୟରେ ସେ ସରବାହାଲ ଅଞ୍ଚଳର ବୋଲି କହିଥିଲେ। ନାବାଳିକା ଅଶିକ୍ଷିତା ହୋଇଥିବାରୁ ଅଭିଯୁକ୍ତମାନଙ୍କ ସମ୍ପର୍କରେ ସଠିକ୍ ସୂଚନା ଦେଇପାରୁନାହାନ୍ତି। ତେବେ ଆଜି ଝାରସୁଗୁଡ଼ା ପୋଲିସ୍ ବିଭିନ୍ନ ତଥ୍ୟକୁ ଆଧାରକରି ତାଳଚେରରେ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.