ବିଶ୍ୱକବି ରବିନ୍ଦ୍ରନାଥ ଟାଗୋରଙ୍କ ୧୫୯ତମ ଜନ୍ମ ଜୟନ୍ତୀ, ଜାଣନ୍ତୁ କବିଗୁରୁଙ୍କ ବିଷୟରେ କିଛି ଅଜଣା କଥା

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫:   ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ୧୮୬୧ ମସିହା ମେ ୭ ତାରିଖରେ କୋଲକାତାର ଜୋରାସଙ୍କରେ ଜନ୍ମଗ୍ରହଣ କରିଥିଲେ ।  ସେ କେବଳ ଜଣେ କବି ନୁହେଁ ବରଂ ଏକାଧାରରେ ସଙ୍ଗୀତକାର, ଚିତ୍ରକାର ଓ ଲେଖକ ମଧ୍ୟ । ତାଙ୍କୁ ଗୁରୁଦେବ, ବିଶ୍ୱକବି ଓ କବିଗୁରୁ ଉପାଧି ମଧ୍ୟ ମିଳିଛି । ସେ ମଧ୍ୟ ନୋବେଲ ପୁରସ୍କାର ବିଜେତା ।

ସେ ତାଙ୍କ ମାତା-ପିତାଙ୍କ ୧୩ ତମ ସନ୍ତାନ ଅଟନ୍ତି । ତେବେ ସେ ୧୮୭୫ରେ ମାତ୍ର ୧୪ ବର୍ଷ ବୟସରେ ତାଙ୍କ ମାଆଙ୍କୁ ହରାଇଥିଲେ । ସେ ୧୧ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କ ସହ ଭାରତ ଭ୍ରମଣରେ ଯାଇଥିଲେ । ଏହି ଯାତ୍ରାରେ ସେ କବି କାଳିଦାସଙ୍କ ଅନେକ କାବ୍ୟ କବିତା ପଢିଥିଲେ । ଏପରିକି ସେ କଲେଜ୍ ସମୟରେ ସେକ୍ସପିଅରଙ୍କ ଉପନ୍ୟାସ ମଧ୍ୟ ପଢିବା ଆରମ୍ଭ କରିଦେଇଥିଲେ । ଏହାପରେ ସେ ସେ ନିଜେ ମଧ୍ୟ ଲେଖାଲେଖି ଆରମ୍ଭ କରିଥିଲେ । ୧୮୮୨ରେ ତାଙ୍କର କବିତା ନିର୍ଝରିର୍ ସ୍ୱପ୍ନଭଙ୍ଗା ପ୍ରକାଶିତ ହୋଇଥିଲା ।

ଏହାପରେ ସେ ଗୀତାଞ୍ଜଳି ଲେଖିଥିଲେ । ସେ ପ୍ରାୟ ୨୨୩୦ଟି କବିତା ଲେଖିଛନ୍ତି । ଆହୁରି ମଧ୍ୟ ଅନେକ ଅଣୁ ଓ କ୍ଷୁଦ୍ର ଗଲ୍ଫ, ଉପନ୍ୟାସ ଯଥା ଗୋରା, ଘରେ-ବାଇରେ ଓ ୟୋଗାୟୋଗ ଲେଖିଛନ୍ତି ।  ସେ ପ୍ରଥମ ଅଣ ୟୁରୋପୀୟ ଭାବେ ୧୯୧୩ରେ ସାହିତ୍ୟରେ ନୋବେଲ ପାଇଥିଲେ । ଗୀତାଞ୍ଜଳି ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ସେ ହେଉଛନ୍ତି ଜଣେ ମାତ୍ର ବ୍ୟକ୍ତି ଯିଏକି ଦୁଇଟି ଦେଶ ପାଇଁ ଜାତୀୟ ସଙ୍ଗୀତ ରଚନା କରିଛନ୍ତି । ସେ ଭାରତୀୟ ଜାତୀୟ ସଙ୍ଗୀତ 'ଜନଗଣ ମନ ଅଧିନାୟକ' ଲେଖିଥିବା ବେଳେ ବାଂଲାଦେଶ ପାଇଁ 'ଆମୋର ସୋନାର୍ ବାଙ୍ଗଲା' ଲେଖିଛନ୍ତି ।

ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ହିଁ ପ୍ରଥମ ଥର ପାଇଁ ଗାନ୍ଧୀଙ୍କୁ ୧୯୧୫ରେ ମହାତ୍ମା ସମ୍ବୋଧନ କରିଥିଲେ ।

ରବିନ୍ଦ୍ରନାଥ ଟାଗୋର ଏବଂ ଆଲବର୍ଟ ଆଇନଷ୍ଟାଇନ୍ ୧୯୩୦ରୁ ୧୯୩୧ ମଧ୍ୟରେ ୪ଥର ପରସ୍ପରକୁ ଭେଟିଛନ୍ତି ।

୨୦୦୪ରେ ରବିନ୍ଦ୍ରନାଥ ଟାଗୋରଙ୍କୁ ପ୍ରଦାନ କରାୟାଇଥିବା ନୋବେଲ ପ୍ରାଇଜ୍ ଶାନ୍ତି ନିକେତନରେ ଥିବା ଉତ୍ତରାୟନ କମ୍ପ୍ଲେକ୍ସରୁ ଚୋରି ହୋଇଯାଇଥିଲା । ପରେ ଏକ ନୂଆ ମେଡାଲ ତିଆରି କରାଯାଇଥିଲା ।

୨୦୧୧ରେ ଭାରତ ସରକାର ବିଶ୍ୱକବିଙ୍କ ୧୫୦ ତମ ଜନ୍ମ-ଜୟନ୍ତୀ ଅବସରରେ ୫ ଟଙ୍କିଆ ମୁଦ୍ରା ପ୍ରଚଳନ କରିଥିଲେ । ଚଳିତ ବର୍ଷ କିନ୍ତୁ ପଶ୍ଚିମବଙ୍ଗ ସରକାର ବିଶ୍ୱକବିଙ୍କ ଜନ୍ମ ଜୟନ୍ତୀକୁ କରୋନା ଭାଇରସ ପାଇଁ ଧୂମଧାମରେ ପାଳନ କରିନାହାଁନ୍ତି । ତେବେ ଶୁକ୍ରବାର ଅପରାହ୍ନ ୪ଟାରେ ପଶ୍ଚିମବଙ୍ଗ ସରକାର  କ୍ୟାଥେଡ୍ରାଲ୍ ରୋଡରେ ବିଶ୍ୱକବିଙ୍କ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.