କରୋନା ଭାଇରସ: ଗତ ୨୪ ଘଣ୍ଟାରେ ୧୫୪୩ଟି ନୂଆ କେସ୍, ସୁସ୍ଥ ହୋଇଛନ୍ତି ୬୮୪ ସଂକ୍ରମିତ
28/04/2020 at 5:30 PM

ନୂଆଦିଲ୍ଲୀ, ୨୮|୦୪: ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ମିଳିତ ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସକୁ ନେଇ ନୂଆ ତଥ୍ୟ ପ୍ରଦାନ କରିଛନ୍ତି । ଗତ ୨୪ ଘଣ୍ଟାରେ ମୋଟ ୧୫୪୩ଟି ନୂଆ ମାମଲା ସାମ୍ନାକୁ ଆସିଛି ଓ ସୁସ୍ଥ ହାର ୨୩.୩ ପ୍ରତିଶତରେ ପହଁଚିଥିବା ସୂଚନା ଦେଇଛନ୍ତି ସଂଯୁକ୍ତ ସଚିବ ଲବ୍ ଅଗ୍ରଓ୍ୱାଲ ।

ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯, ୪୩୫ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ଟି ନୂଆ କେସ ସାମ୍ନାକୁ ଆସିଛି । ସେହିପରି ୨୪ ଘଣ୍ଟାରେ ୬୮୪ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ମଧ୍ୟ ୨୩.୩ ରହିଛି ।
ଲବ୍ ଅଗ୍ରଓ୍ୱାଲ ଆହୁରି କହିଛନ୍ତି ଯେ, ପ୍ଲାଜମା ଥେରାପୀକୁ ପ୍ରୟୋଗ କରାଯାଇ ପାରିବ ନାହିଁ । ଏବେ ଆଇସିଏମଆର ଏହା ଉପରେ ରିସର୍ଚ୍ଚ କରୁଛି । ଏହା ଆକ୍ରାନ୍ତଙ୍କ ପାଇଁ ହାନିକାରକ ହୋଇପାରେ । ଏପରିକି ଏହା ବେଆଇନ ମଧ୍ୟ ।
ସେ ଆହୁରି କହିଛନ୍ତି ଯେ, ୧୭ଟି ଜିଲ୍ଲାରେ ୨୮ଦିନ ହେଲା କୌଣସି ନୂଆ କେସ୍ ସାମ୍ନାକୁ ଆସିନାହିଁ । ଏବେସୁଦ୍ଧା ମୋଟ ୯୩୪ଜଣ ପ୍ରାଣ ହରାଇଛନ୍ତି ।