ସାତ ଶହ ଟଙ୍କା ଖର୍ଚ୍ଚ କରି କାରରେ ୧୫ ଶହ କିମି ଯାତ୍ରା କଲେ ଇଞ୍ଜିନିୟର, ଜାଣନ୍ତୁ କେମିତି…
25/01/2021 at 12:50 PM

ଜୟପୁର , ୨୫/୧: ରାଜସ୍ଥାନ ଜୟପୁର ଅଞ୍ଚଳରେ ଆକାଶ ନାମକ ଜଣେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିଅର ବାସ କରନ୍ତି । ସେ କିଛି ଦିନ ତଳେ ତାଙ୍କ ବନ୍ଧୁମାନଙ୍କ ସହ ଜଇସାଲ୍ମିର୍ ଜିଲ୍ଲାର ଇଣ୍ଡୋ-ପାକ୍ ବର୍ଡର ନିକଟବର୍ତ୍ତୀ ଲଙ୍ଗେୱାଲାକୁ ରୋଡ୍ ଟ୍ରିପ୍ରେ ଯିବା ପାଇଁ ଯୋଜନା କରିଥିଲେ । ତାଙ୍କ ସାଙ୍ଗମାନେ ପେଟ୍ରୋଲ୍ ଚାଳିତ ଗାଡ଼ିରେ ଯିବା ପାଇଁ କହିଥିଲେ । ହେଲେ ଆକାଶ ତାଙ୍କର ଇଲେକ୍ଟ୍ରିକ୍ କାର ଟାଟା ନେକ୍ସନକୁ ନେଇ ଯିବା ପାଇଁ ପ୍ଲାନ୍ କରିଥିଲେ । ଯାହାର ପ୍ରିମିୟମ୍ ବ୍ୟାଟେରି ରେଞ୍ଜ୍ ୩୧୨ କିଲୋମିଟର ରହିଛି । ଏହି ଟ୍ରିପ୍କୁ ତାଙ୍କ ସାଙ୍ଗମାନେ ପରେ ବାତିଲ୍ କରିଦେଇଥିଲେ ।
ଆକାଶ ତାଙ୍କ ସାଙ୍ଗମାନଙ୍କୁ ଛାଡ଼ି ପତ୍ନୀଙ୍କୁ ସାଙ୍ଗରେ ନେଇ ଏହି ଟ୍ରିପ୍ରେ ଯାଇଥିଲେ । ସେମାନେ ଖ୍ରୀଷ୍ଟମାସ ଦିନ ସକାଳୁ ଏହି ଟ୍ରିପ୍ରେ ବାହାରିଥିଲେ । ଜୟପୁରରୁ ଲଙ୍ଗେୱାଲା ୧୫ ଶହ କିଲୋମିଟର ସେମାନେ ୪ଦିନ ଭିତରେ ଯାଇ ଫେରି ଆସିଥିଲେ । ଏ ନେଇ ଆକାଶ କହିଛନ୍ତି ଯେ, ପ୍ରଥମ ଦିନ ସେମାନେ ତାଙ୍କ ଘରଠାରୁ ପୁସ୍କର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ରାତ୍ରି ଯାପନ କରି ଗାଡ଼ିକୁ ଚାର୍ଜ କରିଥିଲେ ।
ଏହାପରେ ଯୋଦ୍ଧପୁର, ଜୟସୈଲମାର ଦେଇ ସେମାନେ ଲଙ୍ଗେୱାଲ ଟାଉନ୍ରେ ପହଞ୍ଚିଥିଲେ । ଏଥି ପାଇଁ ତାଙ୍କୁ ଗାଡ଼ିର ଇନ୍ଧନ ବାବଦକୁ ମାତ୍ର ୭ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ଯଦି ସେ ଏଥି ପାଇଁ ପେଟ୍ରୋଲ୍ ଚାଳିତ ଗାଡ଼ିର ବ୍ୟବହାର କରିଥାନ୍ତେ ତେବେ ହାରାହାରି ଲିଟର ପିଛା ୧୫ କିମି ହିସାବରେ ପାଖାପାଖି ୯ ହଜାର ଟଙ୍କାର ପେଟ୍ରୋଲ୍ ଖର୍ଚ୍ଚ ହୋଇଥିନ୍ତା । ତେଣୁ ଏହି ଇଲେକ୍ଟ୍ରିକ୍ କାର୍ରେ ଏତେ କିଲୋମିଟରର ଯାତ୍ରା ତାଙ୍କ ପାଇଁ ଏକ ସ୍ମରଣୀୟ ଟ୍ରିପ୍ ବୋଲି ଆକାଶ କହିଛନ୍ତି ।