ଆତଙ୍କୀ ଗତିବିଧି ପାଇଁ ୧୦ ମାସରେ ହୋଇଛି ୧୫୦ କିଗ୍ରା ସୁନା ଚୋରାଚାଲାଣ, ଜାଲି ଥିଲା ୟୁଏଇ ଦୂତାବାସର କାଗଜପତ୍ର: NIA
14/07/2020 at 4:43 PM

କୋଚି ୧୪।୦୭: ସୁନା ଚୋରାଚାଲାଣ ମାମଲାର ରହସ୍ୟ ଉପରୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବଡ ପରଦା ହଟାଇଛି। ତଦନ୍ତରୁ ଜଣା ପଡିଛି ଯେ, କୂଟନୈତିକ ଚାନେଲ ଜରିଆରେ ଗତ ୧୦ ମାସରେ ୧୫୦ କିଲୋଗ୍ରାମ ସୁନାର ଚୋରାଚାଲାଣ ହୋଇଛି। ଅପରପକ୍ଷେ ସୋମବାର ଏନଆଇଏ କୋର୍ଟ ଏହି କେସ୍ରେ ଗିରଫ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଓ ସନ୍ଦିପ ନାୟରଙ୍କୁ ଜୁଲାଇ ୨୧ ପର୍ଯ୍ୟନ୍ତ ଏଜେନ୍ସିର ରିମାଣ୍ଡରେ ପଠାଇଛି।
ଏନଆଇଏ ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ ସୁନାର ଚୋରାଚାଲାଣ ମୁଖ୍ୟତଃ ଜୁଏଲରୀ ପାଇଁ ନୁହେଁ ବରଂ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ କରାଯାଇଥିଲା। ଅଭିଯୁକ୍ତ ସୁନା ପଠାଇବା ପାଇଁ ୟୁଏଇର ବାଣିଜ୍ୟ ଦୂତାବାସର ଜାଲି କାଗଜ ପତ୍ର ପ୍ରସ୍ତୁତ କରିଥିଲେ। ଅନେକ କେନ୍ଦ୍ରୀୟ ଏଜେନ୍ସି ଦ୍ଵାରା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ୨୦୧୯ ସେପ୍ଟେମ୍ବରରୁ ସୁନାର ଏହି ରାକେଟ୍ ଜାରି ରହିଥିଲା। ଏ ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋଗ୍ରାମ ସୁନାର ଚୋରାଚାଲାଣ କରାଯାଇଛି।
ରିମାଣ୍ଡ ଅବଧି ଆହୁରି ବଢାଇବାକୁ ଏଜେନ୍ସି ଅଦାଲତରେ ନିବେଦନ କରି କହିଛି ଏହି ମାମଲାରେ ଗୃହ ମନ୍ତ୍ରଣାଳୟ ପ୍ରାରମ୍ଭିକ ତଦନ୍ତ କରିଥିଲା। ସୁନାର ଚୋରାଚାଲାଣ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କରାଯାଉଥିବା ତଦନ୍ତରୁ ଜଣା ପଡିଥିଲା। ଏନଆଇଏ ଅନୁଯାୟୀ, ଏହି ଘଟଣାରେ ବ୍ୟାପକ ତଦନ୍ତର ଆବଶ୍ୟକତା ରହିଛି। କାରଣ ଏଥିରେ ଭାରତ-ୟୁଏଇ ଦ୍ଵିପାକ୍ଷିକ ସମ୍ବନ୍ଧ ମଧ୍ୟ ସାମିଲ। ୟୁଏଇ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।
ସୋମବାର ସକାଳେ ଏନଆଇଏ କୋର୍ଟ ନିଷ୍ପତ୍ତି ନେଇଛନ୍ତି ଯେ, ରିମାଣ୍ଡ ଆବେଦନ ଉପରେ ଶୁଣାଣି ଅଭିଯୁକ୍ତଙ୍କ ଉପସ୍ଥିତିରେ କରାଯିବ। ଏହା ପରେ ଅଭିଯୁକ୍ତଙ୍କୁ ଅପରାହ୍ନରେ ତ୍ରିଶୂର ଓ ଅଙ୍ଗମାଲିର କୋଭିଡ ଫାଷ୍ଟ-ଲାଇନ୍ କେନ୍ଦ୍ର ଅଦାଲତରେ ହାଜର କରାଯାଇଥିଲା। ସ୍ଵପ୍ନା ଅପରାହ୍ନ ୩ଟା ଏବଂ ସନ୍ଦୀପ ନାୟର ୩ଟା ୩୦ରେ ହାଜର ହୋଇଥିଲେ।
ସ୍ଵପ୍ନା ଓ ସରିତା ଉଭୟ ୟୁଏଇ ବାଣିଜ୍ୟ ଦୂତାବାସର କର୍ମଚାରୀ ଥିଲେ। କିନ୍ତୁ କୌଣସି କାରଣବଶତଃ ଇସ୍ତଫା ଦେଇଥିଲେ। କାମ କରିବା ସମୟରେ ରାଷ୍ଟ୍ରଦୂତଙ୍କ ସାମଗ୍ରୀ ପରିବହନ ବିଷୟରେ ସବୁ କିଛି ଜାଣିଥିଲେ। ପରେ ଉଭୟ ସନ୍ଦୀପ ସହିତ ଅନ୍ୟ ଲୋକଙ୍କ ସହିତ ଷଡଯନ୍ତ୍ର ରଚି ୨୦୧୯ରୁ ଦୂତାବାସ ସାମଗ୍ରୀ ଅଢୁଆଳରେ ସୁନାର ଚୋରାଚାଲାଣ ଆରମ୍ଭ କରିଥିଲେ।
ଏହା ମାଧ୍ୟମରେ ଗତ ଦୁଇଟି ଉଦ୍ୟମରେ ସେମାନେ ୯ କିଲୋଗ୍ରାମ ଓ ୧୮ କିଲୋଗ୍ରାମ ସୁନାର ଚୋରାଚାଲାଣ କରିଥିଲେ। ସେମାନେ ଦୂତାବାସର ସାମଗ୍ରୀ ପରିବହନ ପାଇଁ ୟୁଏଇ ବାଣିଜ୍ୟ ଦୂତାବାସରୁ ଜାଲି କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏନଆଇଏ କହିଛି ସନ୍ଦିପ ପାଖକୁ ଏକ ବ୍ୟାଗ ଜବତ କରାଯାଇଛି। ଏଥିରେ ପ୍ରମାଣ ଥିବା ସନ୍ଦେହ କରାଯାଉଛି। ଯାଞ୍ଚ ପରେ ଏହି ରାକେଟ୍ରେ ଏମାନଙ୍କ ସହିତ ଆଉ କିଏ କିଏ ସାମିଲ ତାହା ଜଣା ପଡିବ ବୋଲି ଏନଆଇଏ କହିଛି। ଏନଆଇଏ ପ୍ରମାଣ ପ୍ରସ୍ତୁତ କରିଛି ଏବଂ ବ୍ୟାଗ୍କୁ ଅଦାଲତରେ ଖୋଲାଯିବ ବୋଲି କୁହାଯାଇଛି।
ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ସୁନା ଚୋରାଚାଲାଣ ଘଟଣା ଆତଙ୍କବାଦ ଗତିବିଧି ସହ କେମିତି ଜଡିତ ହୋଇ ପାରିବ। ଏହା ଉପରେ ଏନଆଇଏ ଓକିଲ କହିଛନ୍ତି, ଏହି ଧରଣର ବେଆଇନ ଗତିବିଧି ଦେଶର ସ୍ଥିରତା ପ୍ରତି ବିପଦ। ଏହି ସୁନାର ଚୋରାଚାଲାଣ ଜରିଆରେ ବଡ ପରିମାଣରେ ଅର୍ଥ ରାଶି ହାସଲ କରାଯାଇ ପାରିବ, ଯାହାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗାଯାଇ ପାରିବ। ଉଭୟ ପକ୍ଷର ବୟାନ ଶୁଣିବା ପରେ ଏନଆଇଏ କୋର୍ଟ ଗିରଫ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଓ ସନ୍ଦିପ ନାୟରଙ୍କୁ ଜୁଲାଇ ୨୧ ପର୍ଯ୍ୟନ୍ତ ଏଜେନ୍ସିର ରିମାଣ୍ଡରେ ପଠାଇଛି।