୧୫ ବର୍ଷ ବୟସ୍କା ନାବାଳିକାକୁ ତାଳଚେରର ବାପା ଆଉ ପୁଅ ବାରଂବାର କରୁଥିଲେ ଦୁଷ୍କର୍ମ: ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
15/10/2018 at 7:00 PM

ଝାରସୁଗୁଡା ୧୫|୧୦: ୧୫ ବର୍ଷର ନାବାଳିକା । ଘର ଝାରସୁଗୁଡା ଉପକଂଠରେ ଥିବା ଏକ ଆଦିବାସୀ ଗାଁରେ । ୧୦ବର୍ଷ ବୟସର ସାନ ଭାଇ । ବାପା ପ୍ରଚୁର ମଦ ପିଏ । କୋଉଠି କେମିତି ମୂଲ ମଜୁରୀ କରି ମା ସମ୍ଭାଳୁଥିଲା ଘର । କିଛି ମାସ ତଳେ ଆର ପାରିକୁ ଚାଲିଗଲା ମା । ତା ପରେ ଦୁଇ ଭାଇ ଭଉଣୀ ସତେ ଯେମିତି ଅସହାୟ ହୋଇପଡିଲେ । ଦିଓଳା ଦି ମୁଠା ଖାଇବାକୁ ବି ପାଇଲେନି । ଅସହ୍ୟ ହେଉଥିଲା ବଂଚିବା । ଏମିତି ସମୟରେ ଝାରସୁଗୁଡା ସରବାହାଲର ଜଣେ ବ୍ୟକ୍ତି ୧୫ ବର୍ଷିଆ ଏହି ନାବାଳିକାକୁ କାମ ଦେବାକୁ କହି ନେଇଗଲେ ତାଳଚେର ସହରକୁ ।
ସେଠି ଜଣଙ୍କ ଘରେ ନାବାଳିକା ଚାକରାଣୀ ଭାବେ କାମ କଲା । ଦି ଓଳି ଦିମୁଠା ଖାଇବାକୁ ମିଳିଲା । ସାନ ଭାଇପାଇଁ କିଛି କିଛି ପଇସା ମଧ୍ୟ ପଠାଇଲା । ହେଲେ ଦି ମୁଠା ଖାଇବା ବଦଳରେ ତାକୁ ଦେବାକୁ ହେଲା ବଡ ମୂଲ୍ୟ । ଯାହା ଘରେ ନାବାଳିକା କାମ କରୁଥିଲା ସେ ଘରର ମୁରବୀ ଆଉ ତାଙ୍କ ପୁଅ ବାରଂବାର ଦୁଷ୍ମର୍ମ କଲେ ନାବାଳିକାକୁ । ପେଟର ଭୋକଠାରୁ ଦେହର ଯଂତ୍ରଣା ବଢିଗଲା । କେମିତି ମୁକୁଳିବ ବାଟ ଖୋଜିଲା ନାବାଳିକା ।
ଦିନେ ଭୋରରୁ ସମସ୍ତେ ଶୋଇଥିବାବେଳେ ଖସି ଆସିଲା ସେ । ଗାଁ, ଗଣ୍ଡା, ବଜାର, ସହର ବିଷୟରେ ସମ୍ପୁର୍ଣ୍ଣ ଅନଭିଜ୍ଞ ନାବାଳିକା ବହୁ କଷ୍ଟରେ ପହଂଚିଲା ଝାରସୁଗୁଡା । ସାହି ପଡିଶା ସମସ୍ତଙ୍କୁ କହିଲା ନିଜ ଦୁଃଖ ଆଉ ନିର୍ଯ୍ୟାତନାର କାହାଣୀ । ସାହିପଡିଶାଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡା ବିଟିଏମ ଫାଣ୍ଡିରେ କଲା ଅଭିଯୋଗ । ଘଟଣାକୁ ଝାରସୁଗୁଡା ପୋଲିସ ଗୁରୁତର ସହ ନେଇ ଏବେ ଆରମ୍ଭ କରିଛି ତଦନ୍ତ ।
ତାଳଚେରର କାହା ଘରେ ସେ କାମ କରୁଥିଲା ତାହା ମଧ୍ୟ ଠିକ ରେ କହିପାରୁନି ଝିଅଟି । ଅପରପକ୍ଷରେ ଝାରସୁଗୁଡାର କିଏ ସେହି ବ୍ୟକ୍ତି ଏହି ନାବାଳିକାକୁ ନେଇ ତାଳଚେରରେ କାମରେ ଲଗାଇଥିଲା ପୋଲିସ ନବାଳିକାକୁ ଧରି ଖୋଜିବାରେ ଲାଗିଛି । କିନ୍ତୁ ସଂପୃକ୍ତ ବ୍ୟକ୍ତିର ଠିକଣା ମଧ୍ୟ ନାବାଳିକା ଠିକରେ କହିପାରୁନଥିବାରୁ ପୋଲିସ ପାଇଁ ଅସୁବିଧା ସୃଷ୍ଟି ହୋଇଛି।