୧୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ, ଯେମିତି ଚିହ୍ନି ପାରିବ ନାହିଁ, ଦୁଇ ଆଖି ନଷ୍ଟ କରି ଦେଲେ ଅଭିଯୁକ୍ତ
13/01/2021 at 5:26 PM

ମଧୁବନି ୧୩।୦୧: ନିଜର କାମନା ବାସନା ଚରିତାର୍ଥ କରିବାକୁ ଯାଇ ମଣିଷ ରାକ୍ଷସ ପାଲଟିବାକୁ ପଛଉ ନାହିଁ। ସମସ୍ତ ସୀମା ଲଙ୍ଘି ଘଟାଉଛି ଅମାନୁଷିକ କାଣ୍ଡ। ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି। ଏହି କ୍ରମରେ ବିହାରର ମଧୁବନି ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ୧୫ ବର୍ଷୀୟ ମୂକ ଓ ବଧିର ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାର ଦୁଇ ଆଖିକୁ ନଷ୍ଟ କରି ଦିଆଯାଇଛି, ଯଦ୍ଵାରା ପୀଡିତା ଅଭିଯୁକ୍ତଙ୍କୁ ଚିହ୍ନି ପାରିବ ନାହିଁ। ବୁଧବାର ପୁଲିସ ଘଟଣା ବିଷୟରେ ସୂଚନା ଦେଇଛି।
ନାବାଳିକାଙ୍କ ଦୁଇ ଆଖି କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ କଣ ନାବାଳିକା ସଂପୂର୍ଣ୍ଣ ଭାବେ ନିଜର ଦୃଷ୍ଟି ଶକ୍ତି ହରାଇଛନ୍ତି। ଡାକ୍ତରୀଦଳ ନାବାଳିକାଙ୍କ ଚିକିତ୍ସାରେ ଜୁଟି ଯାଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ମଧୁବନି ଜିଲ୍ଲାର ହରଲଖି ଥାନା ଅନ୍ତର୍ଗତ କଉବାହ ବରହି ଗାଁରେ ଏହି ଘଟଣା ଘଟିଛି। ପୋଲିସ ଏ ପର୍ଯ୍ୟନ୍ତ ଘଟଣାରେ ସଂଶ୍ଳିଷ୍ଟ ୩ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ନାବାଳିକା ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଆଖିକୁ ନଷ୍ଟ କରାଯାଇଥିବା ଏସପି ସତ୍ୟପ୍ରକାଶ କହିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତ ସେହି ଗୋଟିଏ ଗାଁର।
ଗାଁ ମୁଖିଆ ରାମ ଏକବାଲ ମଣ୍ଡଳ କହିଛନ୍ତି ଝିଅଟି ଅନ୍ୟ ପିଲାଙ୍କ ସହ ଗାଁ ବାହାରକୁ ଛେଳି ଚରାଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପିଲା ଘଟଣା ବିଷୟରେ ଯୁବତୀଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଘର ଲୋକ ପଡୋଶୀ ମନୋହରପୁର ଗାଁର ଏକ ଗୋଚର ଜମିରେ ନାବାଳିକାଙ୍କୁ ଅଚେତ୍ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ।
ପୀଡିତାଙ୍କୁ ପ୍ରଥମେ ନିକଟସ୍ଥ ଉମଗାଅଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପୀଡିତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ଡାକ୍ତର ମଧୁବନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ହରଲଖି ଥାନା ଅଧିକାରୀ ପ୍ରେମ ଲାଲ ପାସଓ୍ଵାନ ଏହା କହିଛନ୍ତି।