୧୫ବର୍ଷ ଝିଅର ପ୍ରେମ ସଂପର୍କକୁ ଗ୍ରହଣ କରୁନଥିଲେ ବାପା, ବୟଫ୍ରେଣ୍ଡ ସହ ମିଶି ରାସ୍ତାରୁ ହଟାଇଦେଲା ଝିଅ

Published By : Prameya-News7 Bureau | August 20, 2019 IST

ବେଙ୍ଗାଲୁରୁ ୨୦|୮: ଝିଅ ପ୍ରେମରେ କଣ୍ଟା ସାଜିଥିଲେ ବାପା । ପ୍ରେମିକ ସହ ମିଶି ବାପାଙ୍କୁ ରାସ୍ତାରୁ ହଟାଇଦେଲା ନାବାଳିକା ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକ ବେଙ୍ଗାଲୁରୁରେ । ଜଣେ ୧୫ବର୍ଷର ନାବାଳିକା ଝିଅ ତା ପ୍ରେମିକ ସହ ମିଶି ନିଜ ବାପାଙ୍କୁ ହତ୍ୟା କରିଛି ।  ଅଭିଯୁକ୍ତ ଝିଅ ଏବଂ ପ୍ରେମିକକୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ନାବାଳିକା ୧୦ ଶ୍ରେଣୀରେ ପଢୁଥିଲେ । ତାଙ୍କର ୧୯ବର୍ଷୀୟ ଯୁବକଙ୍କ ସହ ପ୍ରେମ ସଂପର୍କ ଥିଲା । ଦୀର୍ଘ ବର୍ଷ ଧରି ଉଭୟେ ରିଲେସନସିପ୍ ରେ ଥିଲେ ।  ନିଜ ଝିଅର ପ୍ରେମ ସଂପର୍କକୁ ଗ୍ରହଣ କରୁନଥିଲେ ବାପା । ବ୍ୟକ୍ତି ଜଣଙ୍କ ନିଜ ଝିଅର ପ୍ରେମିକକୁ ମଧ୍ୟ ପସନ୍ଦ କରୁନଥିଲେ । ଉଭୟଙ୍କ ପ୍ରେମକୁ ତାଙ୍କ ବାପା ବିରୋଧ କରୁଥିଲେ । ଫଳରେ ନାବାଳିକା ଜଣଙ୍କ ବାପାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଆଉ ସେ ସେଥିରେ ସଫଳ ମଧ୍ୟ ହୋଇଥିଲେ ।

ଗତ ଶନିବାର ଦିନ ସଂପୃକ୍ତ ନାବାଳିକାଙ୍କ ମା ଏବଂ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ନାବାଳିକା ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ବାପାଙ୍କୁ ହତ୍ୟା କରିଛି । ପ୍ରଥମେ ରାତିରେ ବାପାଙ୍କ କ୍ଷୀରରେ ନିଦ ଔଷଧ ମିଶାଇ ଦେଇଥିଲା ଝିଅ ।  ବାପା ନିଦରେ ଶୋଇଯିବା ପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଉଭୟ ମିଶି ତାଙ୍କୁ ହତ୍ୟା କରିଥିଲେ ।  ତାପର ଦିନ ଝିଅ ସକାଳୁ ସକାଳୁ ବାହାରକୁ ଯାଇ ତିନି ଚାରି ବୋତଲ ପେଟ୍ରୋଲ ଆଣି ବାପାଙ୍କ ଶବକୁ ନିଆଁ ଲଗାଇଦେଇଥିଲା । ଘଟଣା ସେତେବେଳେ ଜଣାପଡିଥିଲା ଯେତେବେଳେ ତାଙ୍କ ଘରୁ ନିଆଁ ଏବଂ ଧୂଆଁ ବାହାରୁଥିବା ପଡୋଶୀମାନେ ଦେଖିଥିଲେ ।  ଏଭଳି ଦେଖି ପଡୋଶୀମାନେ କଣ୍ଟ୍ରୋଲ ରମ୍ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।  ପୋଲିସ ପହଞ୍ଚିବା ପରେ ପ୍ରକୃତ ଘଟଣା ଜଣାପଡିଥିଲା ।

ପୋଲିସ ଘଟଣାସ୍ଥଳରୁ ବାପାଙ୍କ ଶବ ଜବତ କରିବା ସହ ଉଭୟ ନାବାଳିକା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.