Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସତ ହେଲା କିନ୍ନରଙ୍କ ସ୍ବପ୍ନ : ବିବାହ ବନ୍ଧନରେ ବାନ୍ଧିହେଲେ ୧୫ କିନ୍ନର

31/03/2019 at 4:00 PM

ରାୟପୁର ୩୧/୩ : ଛତିଶଗଡ଼ ରାଜଧାନୀ ରାୟପୁରରେ ଶନିବାର ଦିନ ଏକ ଅପୂର୍ବ ବିବାହ ଉତ୍ସବ ଦେଖିବାକୁ ମିଳିଥିଲା | ୧୫ ଜଣ କିନ୍ନର ବିବାହ ବନ୍ଧନରେ ବାନ୍ଧି ହୋଇ ନିଜର ପାରିବାରିକ ଜୀବନ ଆରମ୍ଭ କରିଛନ୍ତି | ରାୟପୁର ଅନ୍ତର୍ଗତ ପଚପେଡି ନାକା ଅଂଚଳରେ ଥିବା ପୂଜାରୀ ପାର୍କରେ ୧୫ ଜଣ କିନ୍ନରଙ୍କ ବିବାହ ସମ୍ପର୍ଣ ହୋଇଛି |


କିନ୍ନରମାନଙ୍କୁ ସାଧାରଣତଃ ସମାଜରୁ ବହିଷ୍କୃତ ହୋଇଥିବା ଭାବି ବ୍ୟବହାର କରାଯାଇଥାଏ | କିନ୍ତୁ ଏଠାରେ କିନ୍ନରଙ୍କୁ ବିବାହ କରି ସମ୍ମାନ ଏବଂ ମର୍ଯ୍ୟାଦା ଦିଆଯାଇଛି | କିନ୍ନର ବିବାହ କରି ବହୁତ ଖୁସି ଅଛନ୍ତି ଏବଂ ନିଜର ସୁନ୍ଦର ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ସଜେଇଛନ୍ତି | ସଲୋନୀ ନାମକ ଜଣେ କିନ୍ନର କହିଛନ୍ତି ଯେ, ପାଖାପାଖି ୮ ବର୍ଷ ପୂର୍ବରୁ ଗୁଲାମ ନବୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା | ଧୀରେ ଧୀରେ ସେମାନଙ୍କ ସମ୍ପର୍କ ନିବିଡ ହୋଇଥିଲା ଏବଂ ସେମାନେ ପରସ୍ପରକୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ | ସେମାନଙ୍କୁ ପରିବାର ଲୋକେ ଏବଂ ସମାଜର ଅନେକ କଥା ମଧ୍ୟ ଶୁଣିବାକୁ ପଡିଥିଲା | ତଥାପି ସେମାନେ ହାର ମାନିନଥିଲେ ଏବଂ ବିବାହ କରି ନିଜ ସମ୍ପର୍କକୁ ଏକ ନୂଆ ନାଁ ଦେଇଛନ୍ତି |


୨୦୧୪ ମସିହାରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ପରିଚୟ ଦେଇଥିଲେ | କିନ୍ନରଙ୍କ ପାଇଁ ସାମ୍ବିଧାନିକ ଅଧିକାର ପ୍ରଦାନ କରିଥିଲେ | ସୁପ୍ରିମକୋର୍ଟଙ୍କ ଘୋଷଣା ପରେ ସାଲୋନୀ ଏବଂ ଗୁଲାମ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଘର ଛାଡି ଦେଇଥିଲେ |


ସଲୋନୀ କହିଛନ୍ତି ଯେ, କୌଣସି ପୂଜା ପର୍ବ ଆସିଲେ ସେ ନିଜ ପରିବାର ସମ୍ପର୍କୀୟଙ୍କୁ ସାକ୍ଷାତ କରିଥିଲେ ଏବଂ ଧୀରେ ଧୀରେ ଗୁଲାମଙ୍କୁ ବିବାହ କରିବା ପାଇଁ ପରିବାରଲୋକଙ୍କୁ ରାଜି କରାଇଥିଲେ |


ସଲୋନୀଙ୍କ ଭଳି ଆଉ ଜଣେ କିନ୍ନର ଇଷିକା ନିଜ ବିବାହ ସମ୍ପର୍କରେ କହିଛନ୍ତି | ତାଙ୍କ କାହାଣୀ ସଲୋନୀଙ୍କ ଠାରୁ ଟିକିଏ ଅଲଗା | ଇଷିକା ପଙ୍କଜଙ୍କୁ ବିବାହ କରିଛନ୍ତି | ପଙ୍କଜଙ୍କ ମା’ କହିଛନ୍ତି ଯେ, ସେ ଇଷିକାଙ୍କୁ ପୂର୍ବରୁ ହିଁ ନିଜ ବୋହୁ ଭାବେ ସ୍ୱୀକାର କରିସାରିଥିଲେ | ତାଙ୍କ ମା’ କାହା କାହା କଥା ଚିନ୍ତା ନକରି କେବଳ ନିଜ ପୁଅର ଖୁସି କଥା ଚିନ୍ତା କରିଥିଲେ |


କିନ୍ନରଙ୍କ ବିବାହ କରାଇବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିବା ବିଦ୍ୟା ରାଜପୁତ ନିଜେ ମଧ୍ୟ ଜଣେ କିନ୍ନର ଏବଂ ଜଣେ ସମାଜସେବୀ | ଏହିଭଳି ଏକ ପଦକ୍ଷେପ ଗ୍ରହଣ କରି ସେ ସମାଜକୁ ଏକ ସନ୍ଦେଶ ଦେଇଛନ୍ତି ଯେ, କିନ୍ନରମାନଙ୍କର ମଧ୍ୟ ପ୍ରେମ ଏବଂ ବିବାହ କରିବାର ଅଧିକାର ରହିଛି | ସେଥିପାଇଁ ସେ କିନ୍ନରଙ୍କ ପାଇଁ ଏକ ସାମୁହିକ ବିବାହର ଆୟୋଜନ କରିଥିଲେ | ଏଥିରେ ଛତିଶଗଡ଼ର ୭ଜଣ, ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ବିହାରର ୨ ଜଣ, ମହାରାଷ୍ଟ୍ରର ଜଣେ ଏବଂ ପଶ୍ଚିମବଙ୍ଗର ଜଣେ କିନ୍ନର ସାମିଲ ଥିଲେ |

   Related Posts