ଏୟାରଫୋର୍ସର ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ହଡ଼ପ ଘଟଣାରେ ଅନୁଗୁଳ ପୋଲିସର ଖୋଳତାଡ଼, ଜଣେ ଗିରଫ

Published By : Prameya-News7 Bureau | June 18, 2021 IST

ନୀଳଗିରି, ୧୮/୬: ଆକାଶରୁ ଖସିଥିବା ଏୟାରଫୋର୍ସ ବସ୍ତୁ ବିସ୍ଫୋରକ ହୋଇ ଜଣେ ଆଦିବାସୀ ଶିଶୁର ମୃତ୍ୟୁ ହୋଇଥିବା ବେଳେ ପରିବାରର ଦୁଇଜଣ ଗୁରୁତର ହୋଇଥିଲେ। ପରେ ଏୟାରଫୋର୍ସ ତରଫରୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶିକୁ ଗୋଟିଏ ଏନଜିଓ ସଂସ୍ଥା ହଡ଼ପ ଘଟଣାରେ ଅନୁଗୋଳ ପୋଲିସ ଆଜି ନୀଳଗିରିରେ ପହଁଚି ଖୋଳତାଡ଼ କରିଛି ।

ସୂଚନାଯୋଗ୍ୟ, ୨୦୧୬ ମସିହା ଡିସେମ୍ବର ୩୧ ତାରିଖ ଦିନ କୁଳଡିହା ଅଭୟାରଣ୍ୟ ଚେମଚଟା ଅଂଚଳରେ ଏୟାରଫୋର୍ସର ବିସ୍ଫୋରକ ତିନୋଟି ସାମଗ୍ରୀ ପଡିଥିଲା। ସେହି ଅଂଚଳର ଲିକୁ ନାୟକଙ୍କର ପରିବାର ସଦସ୍ୟ କାଠ ଗୋଟାଇବାକୁ ଯାଇଥିବା ବେଳେ ତାଙ୍କ ୮ବର୍ଷୀୟ ପୁଅ ସମୀର ଏହାକୁ ଘରକୁ ଆଣିଥିଲେ। ପରେ ସେ ଖେଳୁଥିବା ସମୟରେ ସାମଗ୍ରୀ ଗୁଡିକ ପ୍ରଚଣ୍ଡ ବିସ୍ପୋରଣ ଘଟିଥିଲା। ସମୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ମା ପଦ୍ମାବତୀ ଓ ୩ ବର୍ଷୀୟ ଭଉଣୀ ଗୁରୁତର ହୋଇଥିଲେ। ପରେ ଏୟାରଫୋର୍ସ ତରଫରୁ ସମ୍ପୃକ୍ତ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଥିଲା।ହେଲେ ସହାୟତା ଆଳରେ ଅନୁଗୁଳ ଅଂଚଳର human rights watch ନାମକ ଏକ ଏନଜିଓ ସଂସ୍ଥା ସବୁତକ ଟଙ୍କା ଲୁଟିନେଇଥିଲା।

ପରେ ଏୟାରଫୋର୍ସର ଅଧିକାରୀ ସମସ୍ତ ଘଟଣା ଜାଣିବା ପରେ ସେ ଜାତୀୟ ମାନାଧିକାର କୋର୍ଟରେ ଏକ ମାମଲା ଦାୟର କରିଥିଲେ। ପରେ କୋର୍ଟଙ୍କ ନିର୍ଦେଶରେ ବାଲେଶ୍ଵର ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେବା ପରେ ଅନୁଗୁଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ଏନଜିଓର ସେକ୍ରେଟାରୀ ସଂଗୀତା ସ୍ବାଇଁଙ୍କୁ ଗିରଫ କରିବା ପରେ ଆଜି ନୀଳଗିରି ଆସି ଅନୁଗୁଳ ପୋଲିସ ଅସହାୟ ପରିବାରକୁ ଭେଟିଛି।

ନୀଳଗିରି ସମାଜ ମଙ୍ଗଳ ଅଧିକାରୀ ଶୈଳେନ୍ଦ୍ର କୁମାର ମହାପାତ୍ର ଘଟଣାର ତଦନ୍ତ କରି ରିପୋର୍ଟ ତଲବ ପରେ କାର୍ଯ୍ୟନୁଷ୍ଠାନ ହୋଇଥିବାରୁ ତାଙ୍କ ସହ ଅନୁଗୁଳ ଅତିରିକ୍ତ ଆଇଆଇସି ଧୀରେନ କୁମାର ବେହେରା ବିସ୍ତୃତ ଆଲୋଚନା କରିଥିଲେ। ପରେ ମୃତକ ଙ୍କ ମା,ବାପା ଓ ପିଡିତା ଭଉଣୀଙ୍କୁ ଅନୁଗୁଳ କୋର୍ଟରେ ବୟାନ ରେକର୍ଡ ପାଇଁ ନେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.