କରୋନା ହଟସ୍ପଟ ଚିହ୍ନଟ : ଆଜି ରାତି ୧୨ଟା ରୁ ଉତ୍ତର ପ୍ରଦେଶର ୧୫ ଜିଲ୍ଲା ସିଲ୍‌

Published By : Prameya-News7 Bureau | April 08, 2020 IST

ଲକ୍ଷ୍ନୌ୦୮/୦୪ : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ ନିଷ୍ପତ୍ତି ନେଇଛନ୍ତି | ଅଧିକ ସଂକ୍ରମିତ ଜିଲ୍ଲାଗୁଡିକୁ ଆଜି ରାତି ୧୨ଟା ରୁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ସଂକ୍ରମିତ ଅଞ୍ଚଳରେ କାହାକୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ | ସମସ୍ତ ଜାଗାରେ କର୍ଫ୍ୟୁ ଜାରି କରାଯିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛି |

ଉତ୍ତର ପ୍ରଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପୁଥିବା ଯୋଗୁଁ ଯୋଗୀ ଆଦିତ୍ୟନାଥ ଏହିଭଳି ନିଷ୍ପତ୍ତି ନେଇଛନ୍ତି | ରାଜ୍ୟର ୧୫ ଜିଲ୍ଲାକୁ ସମ୍ପୂର୍ଣ୍ଣ ସିଲ କରିବା ପାଇଁ ନିର୍ଦେଶ ଦିଆଯାଇଛି | ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ କେହି ମଧ୍ୟ ବୀଣା ମାସ୍କରେ ବାହାରକୁ ବାହାରି ପାରିବେ ନାହିଁ | ମେ ୩୧ ତାରିଖ ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ କୌଣସି ଚାଷୀଙ୍କୁ ନୋଟିସ ଜାରି କରିବେନାହିଁ |

ପାସ ବିନା କୌଣସି ଗାଡି ମଧ୍ୟ ଅନ୍ୟ ଜିଲ୍ଲାକୁ ପ୍ରବେଶ କରିପାରିବ ନାହିଁ | ମୁଖ୍ୟ ସଚିବ ଅବିନାଶ କୁମାର ଅବସ୍ତି କହିଛନ୍ତି ଯେ, ୧୫ ଜିଲ୍ଲାରେ କେବଳ ହଟସ୍ପଟ ଅଞ୍ଚଳକୁ ସିଲ କରାଯିବ | ଯେଉଁ ୬ ଜିଲ୍ଲାରେ ଅଧିକ ଆକ୍ରାନ୍ତ ହୋଇଛନ୍ତି ସେହିସବୁ ଜିଲ୍ଲାର ହଟସ୍ପଟକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସିଲ କରାଯିବ | ଏହିସବୁ ଜିଲ୍ଲାରେ ସନ୍ଧ୍ୟା ୫ଟା ରେ ହଟସ୍ପଟ ଚିହ୍ନଟ କରାଯିବ |

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ଲଖନଉ, ଆଗ୍ରା, ଗଜିଆବାଦ, ଗୌତମବୁଦ୍ଧନଗର, କାନପୁର, ବାରଣାସୀ, ସାମଲି, ମେରଠ, ବରେଲୀ, ବୁଲନ୍ଦସହର, ଫିରୋଜବାଦ, ମହାରାଜଗଞ୍ଜ, ସୀତାପୁର, ସହାରନପୁର, ଓ ବସ୍ତି ସିଲ ହେବ |

ମୁଖ୍ୟ ସଚିବ ଆର.କେ.ତିୱାରୀ କହିଛନ୍ତି ଯେ, ଜରୁରୀକାଳୀନ ଜିନିଷ ଘରକୁ ଯୋଗାଇ ଦିଆଯିବ | ଏହି ସବୁ ଜିଲ୍ଲାରେ ଜାରି କରାଯାଇଥିବା ପାସର ସମୀକ୍ଷା ହେବ | ଅନେକ ପାସ ରଦ୍ଦ କରାଯିବ | ସ୍ୱାସ୍ଥ୍ୟ, ପୋଲିସ ଏବଂ ଅନ୍ୟ ଜରୁରୀକାଳୀନ ସେବା ସହ ଜଡିତ ଲୋକଙ୍କ ପାଇଁ ନୂଆ ପାସ ହେବ | ଏହି ସବୁ ଜିଲ୍ଲାର ସମସ୍ତ ଛକ, ଗଳି ସିଲ କରାଯାଇ ପୋଲିସ ନିୟୋଜିତ କରାଯିବ | ଆବଶ୍ୟକୀୟ ପଦାର୍ଥ ଅନଲାଇନରେ ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.