ପୁରୀ ଶ୍ରୀମନ୍ଦିର ନିକଟ ୫ଟି ସାହିରୁ ୧୫ଏକର ଜମି ଅଧିଗ୍ରହଣ ହେବ, ଚୁଡଙ୍ଗସାହି ମୌଜାରୁ ଯିବ ସର୍ବାଧିକ ଜମି
26/09/2019 at 10:59 AM

ପୁରୀ ୨୬।୯: ପୁରୀରେ ଜମି ଅଧିଗ୍ରହଣ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ନିରାପତ୍ତା ବଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଶ୍ରୀମନ୍ଦିର ନିକଟ ୫ଟି ସାହିରୁ ୧୫ ଏକର ଜମି ଅଧିଗ୍ରହଣ ହେବ । ଏଥିରେ ସରକାରୀ ଓ ବେସରକାରୀ ଜମି ସାମିଲ ଅଛି । ଘରୋଇ ଜମି ୧୨.୫୫, ସରକାରୀ ଜମି ୨.୬୪ ଏକର ରହିଛି । ସର୍ବାଧିକ ଚୁଡଙ୍ଗସାହି ମୌଜାର ଜମି ଯିବ । ଚୂଡ଼ଙ୍ଗ ସାହିରୁ ଘରୋଇ ଜମି ୩.୮୬୧ ଏକର ଓ ସରକାରୀ ଜମି ୧.୨୮ ଏକର ଯବ ।
ସେହିଭଳି ବାସେଳି ସାହିରୁ ଘରୋଇ ଜମି ୩.୦୨୮ ଏକର ସରକାରୀ ୦.୬୪ ଏକର, ମଣିକର୍ଣ୍ଣିକା ସାହିରୁ ଘରୋଇ ଜମି ୩.୬୨୭, ସରକାରୀ ୦.୧୩୩ ଏକର, ଦୋଳମଣ୍ଡପ ସାହିରୁ ଘରୋଇ ଜମି ୦.୦୭୭ ଏକର ଓ ସରକାରୀ ଜମି ୦.୦୭୪ ଏକର, କାଳିକା ଦେବୀ ସାହିର- ଘରୋଇ ଜମି ୧.୯୫୧ ଏକର ଓ ସରକାରୀ ଜମି ୦.୫୨ ଏକର ରହିଛି । ପ୍ରଭାବିତ ଅଞ୍ଚଳରେ ହେବ ଏସଆଇଏ ବା ସୋସିଆଲ ଇମ୍ପାକ୍ଟ ଆସେସ୍ମେଣ୍ଟ ସର୍ବେକ୍ଷଣ । ଭୂମି ଅର୍ଜନ ଓ ଥଇଥାନର ଉଚିତ ମୂଲ୍ୟ ନେଇ ସର୍ବେକ୍ଷଣ କରାଯିବ । ସମସ୍ତ ସାହିବାସୀଙ୍କ ପରାମର୍ଶ କ୍ରମେ ଏହି ସର୍ବେକ୍ଷଣ ହେବ । ପ୍ରଭାବିତଙ୍କ ସହ ଆଲୋଚନା କରି ଆସିବ ଚୂଡ଼ାନ୍ତ ରିପୋର୍ଟ । ଗ୍ରାମସଭା କିମ୍ବା ଭୂମି ମାଲିକଙ୍କ ସହମତି ନିଆଯିବ ।
ତେବେ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବର ନିରାପତ୍ତା ବଳୟ ଉନ୍ନତି ଉଦ୍ଦେଶ୍ୟରେ ହେବାକୁ ଥିବା ଏହି ଜମି ଅଧିଗ୍ରହଣ ଦାୟିତ୍ବରେ ରହିବେ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ । ୧ ମାସ ଭିତରେ ସର୍ବେକ୍ଷଣ କାମ ସରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।