Air India ବିଡ୍ ଲାଗି ସୋମବାର ଶେଷ ଦିନ, ଆଗ୍ରହୀଙ୍କ ସୂଚୀରେ TATAଙ୍କ ସମେତ ଦେଶର ପ୍ରମୁଖ କର୍ପୋରେଟ ହାଉସ୍
13/12/2020 at 4:33 PM

ନୂଆଦିଲ୍ଲୀ ୧୩।୧୨: ଏୟାର ଇଣ୍ଡିଆ ବିଡ୍ ଲାଗି ସମୟସୀମା ସୋମବାର ଶେଷ ହେବ। ଏଥିରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି। ତେବେ ଦେଶର ୩ ପ୍ରମୁଖ କର୍ପୋରେଟ ହାଉସ୍ ଟାଟା, ଆଦାନୀ ଓ ହିନ୍ଦୁଜା ଏୟାରଇଣ୍ଡିଆ ଲାଗି ଆଗ୍ରହୀ ଥିବାର ଖବର ଆସୁଛି। ଏୟାର ଇଣ୍ଡିଆ ବିଡ କରିବା ଲାଗି ଡିସେମ୍ବର ୧୪ ତାରିଖ ଶେଷଦିନ। ତେବେ ଅଂଶଗ୍ରହଣକାରୀଙ୍କ ଲାଗି ଇଣ୍ଟିମେସନ ତିଥି ୨୯ ଡିସେମ୍ବରକୁ ସରକାର ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।
ନିଲାମ ଲାଗି ଯାଞ୍ଚ ପରେ ସର୍ଟଲିଷ୍ଟ ବୋଲିଦାତାଙ୍କ ନାମ ଜାନୁୟାରୀ ୫ ତାରିଖରେ ଘୋଷଣା ହେବ। ଏବେ ଯାହା ଶୁଣାଯାଉଛି ଏଥିରେ ଟାଟା ସମୂହ, ଅଦାନୀ, ହିନ୍ଦୁଜା ଓ ଅନ୍ୟ କର୍ପୋରେଟ ହାଉସ୍ମାନେ ମଧ୍ୟ ଏୟାର ଇଣ୍ଡିଆ ପ୍ରତି ଋଚି ପ୍ରକାଶ କରୁଛନ୍ତି। ତେବେ ସେମାନେ ଏୟାର ଇଣ୍ଡିଆ ଲାଗି ଆଗ୍ରହୀ ତାହା କେହି ହେଲେବି ଏପର୍ଯ୍ୟନ୍ତ ଅଧିକାରୀକ ଘୋଷଣା କରିନାହାନ୍ତି।
ତେବେ ଅନ୍ୟ ଏକ ସୂଚନା ଅନୁସାରେ ଏୟାର ଇଣ୍ଡିଆର ୨୦୯ କର୍ମଚାରୀଙ୍କ ଏକ ଗୋଷ୍ଠୀ ଘରୋଇ ଫାଇନାନସରଙ୍କ ସହିତ ଭାଗିଦାରୀରେ ଜାତୀୟ ପରିବହନ ସଂସ୍ଥା ଲାଗି ବୋଲି ଲଗାଇବାକୁ ଅଣ୍ଟାଭିଡିଛନ୍ତି। ଏୟାର ଇଣ୍ଡିଆର ପ୍ରତି କର୍ମଚାରୀ ବ୍ୟକ୍ତିଗତ ଇକ୍ୱିଟି ଫଣ୍ଡ ସହିତ ଭାଗିଦାରୀରେ ନିଲାମ ପ୍ରକ୍ରିୟାରେ ଭାଗନେବେ। ଏଥିରେ ପ୍ରତ୍ୟେକ କର୍ମଚାରୀଙ୍କୁ ବିଡ ଲାଗି ୧ ଲକ୍ଷ ଟଙ୍କାର ଯୋଗଦାନ ଲାଗି କୁହାଯିବ।
ଏୟାର ଇଣ୍ଡିଆ ନିଲାମ ପ୍ରକ୍ରିୟାକୁ ସଂସ୍ଥାର କମର୍ସିଆର ଡାଇରେକ୍ଟର ମିନାକ୍ଷୀ ମଲ୍ଲିକ ପରିଚାଳନା କରିବେ। ତେବେ ପାଇଲଟ ଓ କ୍ୟାବିନ୍ କ୍ରୁଙ୍କ ପ୍ରତିନିଧିତ୍ୱ କରୁଥିବା କର୍ମଚାରୀ ସଂଘ ନିଲାମ ପ୍ରକ୍ରିୟାରୁ ନିଜ ସଦସ୍ୟଙ୍କୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି।