ନିଜ ପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରରେ ଭାଙ୍ଗିପଡି ପୁଣି ଜଣେ ୧୪ ବର୍ଷର ବାଳକ କରିଛନ୍ତି ଆତ୍ମହତ୍ୟା

Published By : Prameya-News7 Bureau | June 26, 2020 IST

ନାଗପୁର ୨୬/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଯୋଗୁଁ ସାରା ଦେଶ ଆଶ୍ଚର୍ଯ୍ୟ ଚକିତ | ସୁଶାନ୍ତ ସିଂହଙ୍କ ପ୍ରଶଂସକ ଏବେ ମଧ୍ୟ ଶୋକରେ ବୁଡି ରହିଛନ୍ତି | ସୁଶାନ୍ତ ସିଂହଙ୍କ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି | ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ ନାଗପୁରର ଜଣେ ୧୪ ବର୍ଷର ବାଳକ ଆତ୍ମହତ୍ୟା କରିଛି | ନାଗପୁର ନିକଟସ୍ଥ ଜରିପଟକାରେ ରହୁଥିବା ୧୪ ବର୍ଷର ବାଳକ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ଲଗାତାର ଚିନ୍ତାରେ ବୁଡି ରହିଥିଲେ | ପରିବାରଲୋକେ ମଧ୍ୟ ଏହି ମାମଲାର ତାଙ୍କ ଦୃଷ୍ଟି ହଟାଇବାକୁ ବହୁତ ଚେଷ୍ଟା କରିଥିଲେ |

ପୋଲିସ ଅନୁଯାୟୀ, ତାଙ୍କ ଘରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ | ପୋଲିସ ମୃତ୍ୟୁ ମାମଲା ରୁଜ୍ଜୁ କରିଛି | ପରିବାରଲୋକ କହିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ସେ ବହୁତ ଅବସାଦଗ୍ରସ୍ତ ଥିଲେ | ସେ ସବୁବେଳେ ଟିଭିରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ସମ୍ବନ୍ଧୀୟ ଖବର ଦେଖୁଥିଲେ | ଏହାସହ ସେ ସବୁବେଳେ ଦୁଃଖି ରହୁଥିଲେ |

ଏହା ପୂର୍ବରୁ ବିହାର ରାଜଧାନୀ ପାଟଣା ସମେତ ଦୁଇ ଜିଲ୍ଲାରେ ଦୁଇଟି ଅଲଗା ଅଲଗା ଘଟଣାରେ ଜଣେ ଯୁବତୀ ଓ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ | ପ୍ରଥମ ଘଟଣା ପାଟଣାର | ରାଜେନ୍ଦ୍ର ନଗର ଥାନା ଅନ୍ତର୍ଗତ ୧୨ ନମ୍ବର ରୋଡ଼ରେ ରହୁଥିବା ଜଣେ ୧୭ ବର୍ଷର ଯୁବତୀ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ | ଯୁବତୀ ଜଣକ ନିକଟରେ ପାଟଣାର ଏକ ସ୍କୁଲରେ ମ୍ୟାଟିକ ପରୀକ୍ଷା ଦେଇଥଲେ | ତାଙ୍କ ପରୀକ୍ଷା ମଧ୍ୟ ଭଲ ହୋଇନଥିଲା | ସେଥିପାଇଁ ମଧ୍ୟ ସେ ଡିପ୍ରେସନରେ ଥିଲେ | ଆତ୍ମହତ୍ୟାର ଅନ୍ୟ ଘଟଣା ନାଳନ୍ଦାର | ଗୌତମ ନାମକ ଜଣେ ଯୁବକଙ୍କ ଦାଦା କହିଥିଲେ ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ସେ ବହୁତ ଭାଙ୍ଗି ପଡ଼ିଥିଲେ | ଏହିଭଳି ସ୍ଥିତିରେ ସେ ଆତ୍ମହତ୍ୟା କରିଥିଲେ |

ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ନିଜର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ | ସୁଶାନ୍ତଙ୍କ ଘରେ କାମ କରୁଥିବା ସହାୟକ ଏ ସମ୍ପର୍କରେ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ | ଗତ ସପ୍ତାହରେ ବିହାର ମୁଜାଫରପୁର କୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବଲିଉଡର କିଛି ଅଭିନେତା ଓ ନିର୍ଦେଶକଙ୍କ ବିରୋଧରେ ଆବେଦନ ଦାଏର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.