କରୋନା ଡ଼ର : ସଂସଦ ଅଧିବେଶନରୁ ନିଜକୁ ଦୂରେଇଲେ ମନମୋହନ ସିଂହଙ୍କ ସମେତ ୧୪ ସାଂସଦ
16/09/2020 at 9:26 PM

ନୂଆଦିଲ୍ଲୀ ୧୬।୯: କୋଭିଡ-୧୯ ମହାମାରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ବୁଧବାର ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଦେଖାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ସମେତ ପ୍ରାୟ ୧୪ ଜଣ ନେତା କରୋନା ଯୋଗୁ ସଂସଦ ଅଧିବେଶନରୁ ଛୁଟିରେ ଯାଇଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ସାଂସଦ ମାନେ ଛୁଟିରେ ଯାଇଥିବା ଜଣାପଡିଛି।
ସଂସଦ ମୌସୁମୀ ଅଧିବେଶନ ଲାଗି ଅଭୂତପୂର୍ବ ସ୍ୱାସ୍ଥ୍ୟ ସତର୍କତା ଅବଲମ୍ବନ କରାଯାଉଛି। ଏହା ସତ୍ତ୍ୱ ବୟସ୍କ ସାଂସଦମାନେ ଏହି ଅବଧିରେ ସଂସଦ ଆସିବାକୁ ଅନୁଚିତ ମନେ କରିଛନ୍ତି। ଏହି ସାଂସଦମାନେ ଛୁଟିରେ ଯାଇଥିବା ନେଇ ରାଜ୍ୟସଭା ବାଚସ୍ପଚି ଏମ.ଭେଙ୍କୟା ନାୟଡୁ ସୂଚିତ କରିଛନ୍ତି। ତେବେ ଏହା ପୂର୍ବରୁ ରାଜ୍ୟସଭା ବାଚସ୍ପତି ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ସାଂସଦଙ୍କୁ ସଂସଦ ନ ଆସିବା ଲାଗି ପ୍ରଥମରୁ ରିହାତି ଦିଆଯାଇଥିବା କହିଛନ୍ତି।
ମନମୋହନ, ଚିଦାମ୍ବରମଙ୍କ ସହିତ ଯେଉଁ ସାଂସଦମାନେ ଛୁଟିରେ ଯାଇଛନ୍ତି ସେମାନେ ହେଲେ ଅସ୍କାର ଫର୍ଣ୍ଣାଣ୍ଡିଜ୍, ଏଆଇଡିଏମକେ ସାଂସଦ ନବନୀତ କୃଷ୍ଣନ୍, ଆମଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ଗୁପ୍ତା, ଟିଏମସି ସାଂସଦ ମାନସ ରଞ୍ଜନ ଭୂନିଆ, ୱାଇଏସଆର କଂଗ୍ରେସ ସାଂସଦ ପରିମଲ ନାଥୱାନୀ, ନରେନ୍ଦ୍ର ଯାଦବ, ଟିଆରଏସ ସାଂସଦ ବି.ଲକ୍ଷ୍ମୀକାନ୍ତ ରାଓ, ବନ୍ଦା ପ୍ରକାଶ, ଜେଡିୟୁର ମହେନ୍ଦ୍ର ପ୍ରସାଦ ଓ ନାଗା ପ୍ୟୁପିଲ୍ସ ଫ୍ରଣ୍ଟର କେ.ଜି.କେନ୍ୟେ ଆଦି ଅଛନ୍ତି।