ଆଠ ଘଣ୍ଟା ଧରି ଚାଲିଲା ଭାରତ-ଚୀନ ସୈନ୍ୟ କମାଣ୍ଡର ବୈଠକ, ଲଦାଖ ଗତିରୋଧ ଦୂର କରିବା ଉପରେ ହେଲା ମନ୍ଥନ

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦।୧୦: ପ୍ରାୟ ଦୁଇ ମାସ ପରେ ଭାରତ ଓ ଚୀନ ମଧ୍ୟରେ ରବିବାର ୧୩ତମ ପର୍ଯ୍ୟାୟ କୋର କମାଣ୍ଡରସ୍ତରୀୟ ସୈନ୍ୟ ବାର୍ତ୍ତା ହୋଇଛି। ବୈଠକରେ ଭାରତ ପୂର୍ବ ଲଦାଖରେ ବାକି ବିବାଦର ସମାଧାନ ସହ ସୈନ୍ୟ ପ୍ରତ୍ୟାହାର କରି ଶୀଘ୍ର ପୂର୍ବ  ସ୍ଥିତି ଲାଗୁ କରିବା ଉପରେ ଜୋର ଦେଇଛି। ଭାରତ ଓ ଚୀନ ମଧ୍ୟରେ ଆଜି ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଛି। ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ର ଚୀନ ପାର୍ଶ୍ଵରେ ମୋଲଡୋ ବର୍ଡର ପଏଣ୍ଟରେ ଏହି ଆଲୋଚନା ସକାଳ ୧୦ଟା ୩୦ରେ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା।

ଆଲୋଚନା ବିଷୟରେ କୌଣସି ପକ୍ଷ ଆନୁଷ୍ଠାନିକ ବୟାନ ଜାରି କାରି ନାହାନ୍ତି। ଭାରତ ପକ୍ଷରୁ ଆଲୋଚନାର ନେତୃତ୍ଵ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ। ସେ ଲେହ ସ୍ଥିତ ୧୪ତମ କୋରର କମାଣ୍ଡର ଅଟନ୍ତି। ଭାରତ କ୍ରମାଗତ ପୂର୍ବ ଲଦାଖର ଦେପସାଙ୍ଗ, ହଟ୍ ସ୍ପ୍ରିଙ୍ଗ ଏବଂ ଗୋଗରା ପ୍ରସଙ୍ଗର ସମାଧାନ କରି ଦୁଇ ଦେଶର ସଂପର୍କରେ ସୁଧାର ଆଣିବା ଜରୁରୀ ଉପରେ ଜୋର ଦେଇ ଆସିଛି। ସେନା ସୂତ୍ର ଅନୁଯାୟୀ, ଭାରତୀୟ ପ୍ରତିନିଧି ମଣ୍ଡଳ ଆଲୋଚନା ସମୟରେ ଦେଶର ଏହି ଆଭିମୁଖ୍ୟକୁ ଦୃଢତାର ସହ ଚୀନ ସାମ୍ନାରେ ରଖିଛି।

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଚୀନ ପ୍ରତିପକ୍ଷ ଓ୍ଵାଙ୍ଗ ଓ୍ଵିଙ୍କ ମଧ୍ୟରେ ଆଲୋଚନା ପରେ ଦଇ ଦେଶ ମଧ୍ୟରେ ଆଜି କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଦୁଇ ମନ୍ତ୍ରୀ  ପୂର୍ବ ଲଦାଖର ବାକି ପ୍ରସଙ୍ଗରେ ଶୀଘ୍ର ସମାଧାନ ଉପରେ ସହମତି ପ୍ରକାଶ କରିଥିଲେ। ଦୁଇ ବୈଦେଶିକ ମନ୍ତ୍ରୀ ସେପ୍ଟେମ୍ବର ୧୬ରେ ଦୁସାମ୍ବେରେ ସାଙ୍ଘାଇ ସହଯୋଗ ସଂଗଠନ ବୈଠକ ପୂର୍ବରୁ ଆଲୋଚନା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.