Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୫ ମାସରେ ୧୩୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ପଜିଟିଭ୍, ଗଲାଣି ୮ କରୋନା ଯୋଦ୍ଧାଙ୍କ ଜୀବନ

23/08/2020 at 8:19 AM

ଭୁବନେଶ୍ୱର,୨୩/୦୮: ମହାମାରୀ କରୋନା ବ୍ୟାଧି ଦ୍ରୁତ ଗତିରେ ମାଡ଼ି ଚାଲିଛି । ଦିନକୁ ହଜାର ହଜାର କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏଥିରେ ବିପଦମୁହାଁ ହେଉଛନ୍ତି କରୋନା ଯୋଦ୍ଧା ପୋଲିସ୍‌ । ପ୍ରତିଦିନ ରାଜ୍ୟରେ ୧୦୦ରୁ ଅଧିକ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହେଉଛନ୍ତି । ଏପ୍ରିଲ୍‌ଠାରୁ ଆଜି ପର୍ଯ୍ୟନ୍ତ ୧୩୫୦ ଜଣ ପୁଲିସ୍‌ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଶନିବାର ଗୋଟିଏ ଦିନରେ ଓଡ଼ିଶା ପୋଲିସ୍‌ର ୧୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଥିବା ଏସ୍‌ଆଇଡବ୍ଲ୍ୟୁ ଅଫିସ୍‌ରେ ୩୨ଜଣ ପୋଲିସ୍‌ ଅଧିକାରୀ ଓ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର ।

କରୋନା ଯୁଦ୍ଧର ଅନ୍ୟତମ ପ୍ରମୁଖ ଯୋଦ୍ଧା ହେଲେ ପୋଲିସ୍‌ । ଜୀବନକୁ ବାଜି ଲଗାଇ ଏମାନେ ଦୀର୍ଘ ୪ ମାସ ହେବ ଡ୍ୟୁଟି କରୁଛନ୍ତି । ରିପୋର୍ଟ କହୁଛି ଏପ୍ରିଲ୍‌ ମାସରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ପୋଲିସ୍‌ରେ ପ୍ରାୟ ୧,୩୫୦ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ ୬୦୦ ଜଣ ସୁସ୍ଥ ହୋଇ ପୂର୍ବ ଭଳି ଡ୍ୟୁଟି କରିବା ସହ କିଛି ପୋଲିସ୍‌ କର୍ମଚାରୀ ପ୍ଲାଜମା ଦେଲେଣି । ଦୁଃଖଦ ଘଟଣା ହେଉଛି ଏହି କରୋନା ଯୋଦ୍ଧାଙ୍କ ମଧ୍ୟରୁ ୮ ଜଣଙ୍କ ଜୀବନ ଗଲାଣି । ଗଞ୍ଜାମରେ ସର୍ବାଧିକ ପୋଲିସ୍‌ କର୍ମଚାରୀଙ୍କ ଜୀବନ ଯାଇଛି । ସେପଟେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ କାର୍ଯ୍ୟାଳୟରେ ଏକାଧିକ କରୋନା ପଜିଟିଭ୍‌ ବାହାରିବା ପରେ ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି ।

କମିଶନରେଟ୍‌ ପୋଲିସ୍‌ ଭୁବନେଶ୍ୱରରେ ୨୨୦ ଜଣଙ୍କୁ କରୋନା ଆକ୍ରାନ୍ତ କରି ସାରିଲାଣି । ଏଥିରେ ୨୦ ଜଣ ଅଫିସ୍‌ର ଥିବାବେଳେ ଏସ୍‌ଏସ୍‌ ବାଟାଲିୟନ୍‌ରେ ଡାକ୍ତର, ସପ୍ତମ ବାଟାଲିୟନ ହସ୍ପିଟାଲ୍‌ର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇ ଡ୍ୟୁଟି କଲେଣି । ଶନିବାର ପୋଲିସ୍‌ ରିଜର୍ଭ ବାରାକ (ଆରଓ)ରୁ ୮ ଜଣ, କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରୁ ଜଣେ, ସପ୍ତମ ବାଟାଲିୟନରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତା’ଛଡା ଜୋନ୍‌-୫ ଏସିପିଙ୍କ ଅଫିସ୍‌ରେ ଜଣେ କର୍ମଚାରୀ କରୋନା ପଜିଟିଭ୍‌ ବାହାରିଛନ୍ତି । ସହିଦ୍‌ନଗର ଥାନା ଓ ଜୋନ୍‌ ଏସିପି ଗୋଟିଏ ବିଲ୍ଡିଂରେ ଚାଲିଥିବାରୁ ସମସ୍ତ କର୍ମଚାରୀଙ୍କ ମନରେ ଛନକା ପଶିଛି । ବିଏମ୍‌ସି ଆସନ୍ତାକାଲି ଥାନା ଓ ଏସିପିଙ୍କ ଅଫିସ୍‌ ସାନିଟାଇଜ କରିବ ବୋଲି ଜଣାପଡ଼ିଛି ।

   Related Posts