ଜେଲରେ ଅଛନ୍ତି ୧୩୪୬୪ ବଳାତ୍କାରୀ, ମହିଳା ଅତ୍ୟାଚାର ମାମଲାରେ ଉତ୍ତର ପ୍ରଦେଶ ଆଗରେ

Published By : Prameya-News7 Bureau | September 10, 2020 IST

ଜଳନ୍ଧର ୧୦/୦୯: ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଗ୍ରାଫ ତଳକୁ ଯିବା ବଦଳରେ ଉପରକୁ ଯାଉଛି। ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ.ସି.ଆର.ବି) ରିପୋର୍ଟ ଅନୁସାରେ ରେପ୍ ତଥା ମର୍ଡର ଅଭିଯୁକ୍ତଙ୍କ ସଂଖ୍ୟା ଜେଲରେ ବୃଦ୍ଧି ପାଉଛି। ଅନ୍ୟପକ୍ଷେ ଏହି ମାମଲାରେ ବିଚରାଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏନ୍.ସି.ଆର.ବି ରିପୋର୍ଟ ଅନୁସାରେ ଦେଶରେ ଥିବା ଜେଲରେ ୨୧,୦୨୦ କଏଦୀ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଅଭିଯୋଗରେ ବନ୍ଦୀ ଅଛନ୍ତି। ଏଥିରୁ ୬୪.୫ ପ୍ରତିଶତ ଅର୍ଥାତ ୧୩୪୬୪ ମାମଲା କେବଳ ଦୁଷ୍କର୍ମର। ତେବେ ଏ ସଂଖ୍ୟା ୨୦୧୯ ଡିସେମ୍ବର ୩୧ର। ୨୦୧୭ରେ ରେପ୍ ଅଭିଯୁକ୍ତ କଏଦୀଙ୍କ ସଂଖ୍ୟା ଥିଲା ୧୦,୮୯୨।

୩୪୩୬୮ କଏଦୀଙ୍କ ମାମଲା ଅଛି ବିଚରାଧୀନ: ତେବେ ୫୭୪୪୪ ଅଭିଯୁକ୍ତଙ୍କ ମାମଲା ଦେଶର ବିଭିନ୍ନ ଅଦାଲତରେ ବିଚାରଧୀନ ଅଛି। ଏଥିରୁ ୩୪୩୬୮ ଅଭିଯୁକ୍ତ ବଳାତ୍କାରୀ । ଏହା ବ୍ୟତୀତ ସମ୍ପତି ଲାଳସାରେ ମହିଳାଙ୍କ ମୃତ୍ୟୁ ୨୫.୫୮ ପ୍ରତିଶତ ଅର୍ଥାତ ୫,୩୭୭ ଦୋଷୀ ଜେଲରେ ଜୀବନ ଅତିବାହିତ କରୁଛନ୍ତି। ଡରି ଡେଥ୍‌ରେ ୧୩୨୮୭ ବିଚାରଧୀନ କଏଦୀ ଜେଲରେ ଅଛନ୍ତି। ମହିଳାଙ୍କୁ ଅପମାନ କରିବା ଅଭିଯୋଗରେ ୫୧୭୬ କଏଦୀ ଜେଲରେ ଅଛନ୍ତି। ସ୍ବୀମଙ୍କ ସମ୍ପର୍କୀୟ ଓ ବାପା-ମାଆଙ୍କ ଦ୍ବାରା ମହିଳା ଉତ୍ପୀଡନରେ ୪୬୧୩ କଏଦୀଙ୍କ ମାମଲା ଅଦାଲତରେ ବିଚାରଧୀନ ଅଛି।

ମହିଳା ଅତ୍ୟାଚାର​ରେ ଆଗରେ ୟୁପି: ରେକର୍ଡ ଅନୁସାରେ ମହିଳାଙ୍କ ଉପରେ ଅତ୍ୟାଚାର କରିବା ମାମଲାରେ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଦେଶରେ ମହିଳାଙ୍କୁ ଅତ୍ୟାଚାର କରିବା ଅଭିଯୋଗରେ ୨୧,୦୨୦ ଦୋଷୀଙ୍କ ମଧ୍ୟରୁ ୪୯୭ କେବଳ ଉତ୍ତର ପ୍ରଦେଶ ନିବାସୀ। ଦ୍ବିତୀୟ ସ୍ଥାନରେ ଅଛି ମଧ୍ୟପ୍ରଦେଶ। ଏଠାରେ ୩୪୪୬ ବ୍ୟକ୍ତି ମହିଳାଙ୍କୁ ଅତ୍ୟାଚାର କରିଥିବା ଅଭିଯୋଗରେ ସଜା ମିଳିଛି ଓ ଜେଲରେ ଅଛନ୍ତି। ଉତ୍ତର ପ୍ରଦେଶର ୧୯,୦୨୨ ଅଭିଯୁକ୍ତ ଜେଲରେ ଅଛନ୍ତି ଓ ସେମାନଙ୍କ ମାମଲାର ଶୁଣାଣି ଅଦାଲରେ ଚାଲିଛି। ମଧ୍ୟପ୍ରଦେଶରେ ଏଭଳି କଏଦୀଙ୍କ ସଂଖ୍ୟା ରହିଛି ୪,୯୨୭।

ପୂର୍ବରୁ ନ ଥିଲା ଅପରାଧ ରେକର୍ଡ: ୧୯୭୧ରେ ମହିଳାଙ୍କ ପ୍ରତି ଅପରାଧ ମାମଲାର ରେକର୍ଡ ରଖାଗଲା। ଏହା ପୂର୍ବରୁ ମହିଳାଙ୍କ ପ୍ରତି ହେଉଥିବା ରେପ ତଥ୍ୟ ଏନସିଆାରବି ରିପୋର୍ଟରେ ସାମିଲ କରାଯାଉ ନ ଥିଲା। ଏଥିରୁ ଅନୁମାନ ଲଗାଯାଇପାରୁଥିବ ଯେ ସ୍ବାଧୀନତା ପରେ ଦେଶରେ ମହିଳାଙ୍କ ସହ କିଭଳି ଅତ୍ୟାଚାର କରାଯାଉଛି। ୧୯୫୩ରୁ ୧୯୭୧ସୁଦ୍ଧା ଯେଉଁ ଅପରାଧିକ ମାମଲାର ରେକର୍ଡ ରଖାଯାଉଥିଲା ସେଥିରୁ ମର୍ଡର, ଅପହରଣ, ଡକାୟତି, ତାଲାଭାଙ୍ଗି ଚୋରି, ସାମ୍ପ୍ରଦାୟିକତା ପ୍ରସାର ଓ ମାରପିଟ୍ ଆଦି ମାମଲା ସାମିଲ ଥିଲା।

କ’ଣ କହନ୍ତି ଓକିଲ: ହିମାଚଳ ହାଇକୋର୍ଟର ଓକିଲ ମୋନିକା ସିଂହ କହନ୍ତି ପୁଅଝିଅ ଭେଦଭାବ ପିଲାବେଳୁ ଆରମ୍ଭ ହୋଇଥାଏ। ଝିଅ ତୁଳନାରେ ପୁଅଙ୍କୁ ବାପାମାଆ ଅଧିକ ଗୁରୁତ୍ବ ଦିଅନ୍ତି। ଏହିଠାରୁ ହିଁ ଝିଅମାନଙ୍କ  ପ୍ରତି ତିରସ୍କାର ଆରମ୍ଭ ହୁଏ ଓ ସେମାନେ ଦୁର୍ବଳ ହୋଇ ଚାଲନ୍ତି। ମାନିସିକତାର ଫାଇଦା ଉଠାଇ ଲୋକ ସେମାନଙ୍କ ଉତ୍ପୀଡନ ଆରମ୍ଭ କରନ୍ତି। ମହିଳାଙ୍କ ସ୍ବୀମୀହିଁ ଅପରାଧକୁ ଅଧିକ ପ୍ରୋତ୍ସାହନ ଦିଅନ୍ତି। ଏବେ ଘରେ ପୁଅଝିଅଙ୍କୁ ସମକକ୍ଷ ଦେଖିବା ଦରକାର। ଘରେ ଏ ଭେଦଭାବ ଦୂର ହେଲେ ହିଁ ଏ ପ୍ରକାର ଅପରାଧ କମିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.