ୟୁନିୟନ ବ୍ୟାଙ୍କରେ ୧୩୪ କୋଟି ଟଙ୍କାର ଠକେଇ ! ଆକ୍ସନ ମୁଡ୍‌ରେ ସିବିଆଇ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୬: ଏବେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)କୁ ଲାଗିଛି ଚୂନା। କେନ୍ଦ୍ରୀୟ ଯାଞ୍ଚ ବ୍ୟରୋ (ସିବିଆଇ) ଏହି ମାମଲାରେ ଏକ ଘରୋଇ କମ୍ପାନୀ ଏବଂ ଏହାର ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ଠକି ନେଇଛି ଏହି ଘରୋଇ କମ୍ପାନୀ। ଗୁଜୁରାଟର ଗାନ୍ଧୀଧାମର ହାଇ ପ୍ରେସର ଟେକନୋଲୋଜିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହାର ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ।

କମ୍ପାନୀ ଏବଂ ନିର୍ଦେଶକଙ୍କ ବିରୋଧରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ହଡ଼ପ କରିବା ନେଇ ଅଭିଯୋଗ ହୋଇଛି। ଏହି ମାମଲାରେ ସିବିଆଇ ଟିମ୍‌ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ମିଡିଆ ରିପୋର୍ଟ ଅନୁସାରେ ଦିଆଯାଇଥିବା ଏଫଆଇଆରରେ ଦର୍ଶାଯାଇଛି, କମ୍ପାନୀ ଏବଂ ଏହାର ଅଧିକାରୀ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇଥିଲେ। ଖରାପ ଉଦ୍ଦେଶ୍ୟରେ ଏହି ଋଣ ଟଙ୍କାକୁ ବ୍ୟବହାର କରାଯାଇଛି।

ଏଫଆଇଆର ରୁଜୁ ହେବା ପରେ ସିବିଆଇ ଟିମ୍‌ କମ୍ପାନୀ ଏବଂ ଏହାର ମାଲିକଙ୍କ ମୁମ୍ବାଇରେ ୬ ଭିନ୍ନ ଭିନ୍ନ ସ୍ଥାନରେ ଥିବା ଘରେ ଏକାସଙ୍ଗେ ଚଢ଼ାଉ କରିଛି । ୟୁନିୟନ ବ୍ୟାଙ୍କ ପକ୍ଷରୁ ଏନେଇ ଅଭିଯୋଗ ପାଇବା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କମ୍ପାନୀ ଏବଂ ନିର୍ଦେଶକ ବ୍ୟାଙ୍କରୁ ଟଙ୍କା ହଡ଼ପ କରି ଏହାକୁ ଅନୁଚିତ ଉପାୟରେ ବ୍ୟବହାର କରିଛନ୍ତି ବୋଲି ୟୁନିୟନ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.