ନୂଆଦିଲ୍ଲୀ ୧୯।୦୪: ବିଶ୍ଵ ମହାମାରୀ କରୋନା ଭାଇରସ୍ର ପ୍ରକୋପ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ୧୧୩୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ମହାମାରୀରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୫୭୧୨ରେ ପହଞ୍ଚିଥବା ବେଳେ ମୃତ୍ୟୁ ସଂଖ୍ୟା ୫୦୭କୁ ବୃଦ୍ଧି ଘଟିଛି। ୨୨୩୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି। ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ରବିବାର ଏହା କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ।
ସେ କହିଛନ୍ତି ପୂର୍ବରୁ ସଂକ୍ରମିତ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୪ ଜିଲ୍ଲାରେ ଗତ ୧୪ ଦିନ ହେବ କରୋନା ସମ୍ବନ୍ଧିତ ଗୋଟିଏ ହେଲେ କେସ୍ ଆସି ନାହିଁ। ସମଗ୍ର ଦେଶରେ ୨୨୩୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି। ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଆଜି ରାତିରେ ନନ ହଟ୍ସ୍ପଟ୍ ଅଞ୍ଚଳରେ କିଛିଟା କୋହଳ କରାଯିବ। ମାତ୍ର ହଟ୍ସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନରେ କୌଣସି ପ୍ରକାରର କୋହଳ ଦିଆଯିବ ନାହିଁ। ସେଠାରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ। ଯେଉଁ ସବୁ ଅଞ୍ଚଳରେ କୋହଳ ଦିଆଯିବା ସେଠାରେ ସାମାଜିକ ଦୂରତ୍ଵ ପାଳନ କରିବାକୁ ପଡିବ। ଯେଉଁଠି କୋହଳ କରାଯିବ ସେଠାରେ ଯଦି ଗୋଟିଏ ବି କେସ୍ ସାମ୍ନାକୁ ଆସେ ତେବେ କୋହଳ ପ୍ରତ୍ୟାହାର କରି ନିଆଯିବ। ଧାର୍ମିକ ସ୍ଥଳ ଓ କାର୍ଯ୍ୟକ୍ରମ ମଧ୍ୟ ମେ ୩ ପର୍ଯ୍ୟନ୍ତ ବନ୍ଦ ରହିବ। ଧିରେ ଧିରେ ସ୍ଥିତି ସ୍ଵାଭାବିକ ହେବା ଆମର ପ୍ରୟାସ, କିନ୍ତୁ ଏହା ଧ୍ୟାନ ରଖିବାକୁ ପଡିବ ଯେ ଆମ ଦ୍ଵାରା ଯେମିତି କୌଣସି ଭୁଲ୍ ନହୁଏ।
ଲଭ ଅଗ୍ରଓ୍ଵାଲ କହିଛନ୍ତି କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୭୫୫ ଡେଡିକେଟେଡ୍ ହସ୍ପିଟାଲ ଓ ୧୩୮୯ ଡେଡିକେଟେଡ୍ ହେଲ୍ଥ କେୟାର ସେଣ୍ଟର କରାଯାଇଛି। ଏହି କେନ୍ଦ୍ରରେ ୨୧୪୪ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଇ ପାରିବ।