କରୋନା ଆତଙ୍କରେ ଇଟାଲୀରେ ହାହାକାର, ଗୋଟିଏ ଦିନରେ ଚାଲିଗଲା ୧୩୩ ଜଣଙ୍କ ଜୀବନ
9/03/2020 at 4:19 PM

ରୋମ ୦୯।୦୩- ଇଟାଲୀରେ କରୋନା ଭୂତାଣୁରେ ଗୋଟିଏ ଦିନରେ ୧୩୩ ଜଣଙ୍କ ପ୍ରାଣହାନୀ ଘଟିଛି। ଏହା ପରେ ଇଟାଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟି ୩୬୬ରେ ପହଞ୍ଚିଛି। ଏହା ସହିତ ଦୁନିଆରେ କରୋନା ଭୂତାଣୁ କାରଣରୁ ଅଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ମାମଲାରେ ଇଟାଲୀ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି। ସବୁଠୁ ଅଧିକ ମୃତ୍ୟୁ ଚୀନରେ ଘଟିଛି। ଇଟାଲୀ ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମାମଲାରେ ଦକ୍ଷିଣ କୋରିଆ ତୃତୀୟରେ ରହିଛି।
ଇଟାଲୀର ନାଗରିକ ସୁରକ୍ଷାର ସୂଚନା ଅନୁଯାୟୀ, ଇଟାଲୀର ହାର୍ଡବୋନ ଲୋମ୍ବାର୍ଡ କ୍ଷେତ୍ରରେ ଅଧିକାଂଶ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନାରେ ମୃତ୍ୟୁ ସଂଖ୍ୟା ତିନି ଗୁଣ ବୃଦ୍ଧି ଘଟିଛି। ରବିବାର ୧୩୩ ଜଣଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବଢି ୩୬୬ରେ ପହଞ୍ଚିଛି। ଚୀନ ବାହାରେ ଇଟାଲୀରେ ଅଦ୍ୟାବଧି ଅଧିକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ଦିନରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୪୯୨ରୁ ବୃଦ୍ଧି ଘଟି ୭,୩୭୫ରେ ପହଞ୍ଚିଛି। ଇଟାଲୀ ନାଗରିକ ସୁରକ୍ଷା ଏଜେନ୍ସିର ପ୍ରମୁଖ ଆଞ୍ଜେଲୋ ବୋରେଲି କହିଛନ୍ତି ଯେ, କରୋନା ଭୂତାଣୁର ପ୍ରକୋପ ରୋକିବା ଲାଗି ୨୨୦ ଲକ୍ଷ ସର୍ଜିକାଲ ମାକ୍ସ ଯୋଗାଇ ଦେବାକୁ ଆଦେଶ ଦିଆଯାଇଛି।

ଇଟାଲୀ ସତର୍କତାମୂଳକ ଏକ ବଡ ପଦକ୍ଷେପର ଘୋଷଣା କରି ଦେଶର ଏକ ତୃତୀୟାଂଶ ଲୋକଙ୍କ ଗମନା ଗମନ ଉପରେ ରୋକ୍ ଲଗାଇଛି। ପ୍ରଧାନମନ୍ତ୍ରୀ ଗ୍ୟୁସେପ୍ କୋନ୍ତେ ଏହି ସାମ୍ବିଧାନିକ ଆଦେଶ ଉପରେ ଦସ୍ତଖତ କରି ଇଟାଲୀର ପ୍ରାୟ ୧ କୋଟି ୬୦ ଲକ୍ଷ ଲୋକଙ୍କ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ, ଇଟାଲୀର ଜନସଂଖ୍ୟା ପ୍ରାୟ ୬ କୋଟି। ସରକାର କରୋନା ବ୍ୟାପକତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ମ୍ୟୁଜିୟମ, ଥିଏଟର, ସିନେମାହଲ, ନାଇଟ୍ କ୍ଲବ ଉପରେ ନିଷେଧାଦେଶ ଜାରି କରିଛନ୍ତି।