ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସିର ସଂପତ୍ତି ବିକି ଭରଣା ହେଲାଣି ୧୩,୧୦୦ କୋଟି ଟଙ୍କା: ଇଡି

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬।୦୭ : ଦେଶର ବ୍ୟାଙ୍କଗୁଡିକୁ ଚୁନା ଲଗାଇ ଫେରାର ହୋଇଥିବା ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପଟେ ସେମାନଙ୍କର ଭାରତରେ ଥିବା ସେୟାର ଓ ଧନ ସଂପତ୍ତି ବିକ୍ରି, ନିଲାମ କରାଯାଇ ଆର୍ଥିକ କ୍ଷତିର ଭରଣା ପ୍ରକ୍ରିୟା ଜାରି ରହିଛି।  ଏହା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ସୂଚନା ଦେଇଛି ଯେ, ଦେଶର ସବୁଠୁ ବଡ ଋଣଦାତା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ନେତୃତ୍ଵରେ ଏକ ସଂଗଠନ ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ସେୟାର ବିକି ସେଥିରୁ ୭୯୧.୧୧ କୋଟି ଟଙ୍କା ଆଦାୟ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଆଧାରରେ ଏହି ସବୁ ସଂପତ୍ତି ଜବତ କରାଯାଇଛି। ଇଡି ଏହି ସବୁ ଅର୍ଥ ବ୍ୟାଙ୍କକୁ ହସ୍ତାନ୍ତର କରିଛି।

ସୂଚନା ଅନୁଯାୟୀ, ମାଲ୍ୟା, ମୋଦୀ ଓ ଚୋକସିର ସଂପତ୍ତି ବିକ୍ରି କରି ଏ ପର୍ଯ୍ୟନ୍ତ ମୋଟ୍ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ ହୋଇ ସାରିଛି। ବନ୍ଦ ପଡିଥିବା କିଙ୍ଗଫିଶର ଏୟାରଲାଇନ୍ସର ମାଲିକ ମାଲ୍ୟାଙ୍କ ଉପରେ ବିଭିନ୍ନ ବ୍ୟାଙ୍କରେ ୯୦୦୦ କୋଟି ଟଙ୍କାରୁ ଅଧିକ ବକେୟା ରହିଛି। ଏହା ବ୍ୟତୀତ ନିରବ ମୋଦୀ ଓ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଅର୍ଥ ହେରଫେର ଓ ଜାଲିଆତିର ମୁଖ୍ୟ ଅଭିଯୁକ୍ତ। ଉଭୟ ପିଏନବିକୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଚୁନା ଲଗାଇଥିବାର ଅଭିଯୋଗ  ହୋଇଛି।

ପିଏନବି ମାମଲାରେ ପଳାତକ ନିରବ ମୋଦୀ ମାମଲାରେ  ଆର୍ଥିକ ଅପରାଧ ନ୍ୟାୟାଳୟ ଦ୍ଵାରା ବ୍ୟାଙ୍କକୁ ସଂପତ୍ତି ଜବତ କରିବାକୁ ଅନୁମତି ମିଳିଥିଲା। ଏହି ଆଧାରରେ କିଛି ଦିନ ପୂର୍ବେ ଇଡି ଜବତ କରିଥିବା ୩,୭୨୮.୬୪ କୋଟି ଟଙ୍କାର ସଂପତ୍ତି ଏସବିଆଇ ନେତୃତ୍ଵାଧୀନ କନ୍ସୋର୍ଟିୟମ ସଂସ୍ଥାକୁ  ହସ୍ତାନ୍ତର କରିଛି। ମାଲ୍ୟା, ନିବର ମୋଦୀ ଓ ମେହୁଲ ଚୋକସି ବିଭିନ୍ନ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କରୁ ନିଜ କମ୍ପାନୀ ମାଧ୍ୟମରେ ଅର୍ଥ ହେରାଫେରି କରି ଫେରାର  ହୋଇଛନ୍ତି। ଏହି ପଳାତକଙ୍କ ଦ୍ଵାରା ୨୨,୫୮୫.୮୩ କୋଟି ଟଙ୍କା କ୍ଷତି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.