କରୋନା ପରେ ପୁଣି ଚିନ୍ତା ବଢ଼ାଇଲା 'ନୋରୋ' ଭାଇରସ: ଏହିସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସତର୍କ

Published By : Prameya-News7 Bureau | November 12, 2021 IST

ୱାୟନାଡ ୧୨/୧୧ : ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀର ଅନ୍ତ ଘଟିନାହିଁ। ଏପଟେ କେରଳରେ ନୋରୋ ଭାଇରସ ମାମଲା ଚିନ୍ତା ବଢ଼ାଇଛି। କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର ଦିନ ଲୋକଙ୍କୁ ପେଟ ଜନିତ ସମସ୍ୟାରୁ ସତର୍କ ରହିବାକୁ ଅପିଲ କରିଛନ୍ତି ଏବଂ ଗାଇଡଲାଇନ ଜାରି କରିଛନ୍ତି। କେରଳ ୱାୟନାଡରେ ନୋରୋ ଭାଇରସର ୧୩ ମାମଲା ଚିହ୍ନଟ ହୋଇଛି।

ଦୁଇ ସପ୍ତାହ ପୂର୍ବରୁ ୱାୟନାଡ ଜିଲ୍ଲା ବିଥିରି ନିକଟରେ ପୁକୋଡେରେ ଏକ ପଶୁ ଚିକିତ୍ସାଳୟ କଲେଜର ୧୩ ଛାତ୍ରଙ୍କ ଦୂଷିତ ପାଣି ଓ ଭୋଜନ ଦ୍ୱାରା ବ୍ୟାପିଥିବା ଏକ ପଶି ଜନିତ ରୋଗ ନୋରୋ ଭାଇରସ ସମ୍ପର୍କରେ ସୂଚନା ମିଳିଥିଲା। ବୀଣା ଜର୍ଜ କହିଛନ୍ତି, ଏବେ ଚିନ୍ତାର କିଛି କାରଣ ନାହିଁ କିନ୍ତୁ ସମସ୍ତେ ସତର୍କ ରହିବା ଆବଶ୍ୟକ। ସୁପର କ୍ଳୋରିନେସନ ସହ କାର୍ଯ୍ୟକଳାପ ଚାଲିଛି। ପିଇବା ପାଣିର ସ୍ରୋତ ସ୍ୱଚ୍ଛ ରଖିବା ଆବଶ୍ୟକ। ଉଚିତ ଚିକିତ୍ସାରେ ରୋଗ ଭଲ କରାଯାଇପାରିବ। ସେଥିପାଇଁ ସମସ୍ତେ ଅବଗତ ରହିବା ଉଚିତ ବୋଲି ସେ କହିଛନ୍ତି।

ନୋରୋ ଭାଇରସ ପାକସ୍ଥଳୀ ରୋଗର କାରଣ ହୋଇଥାଏ ଯେଉଁଥିରେ ପେଟ, ଅନ୍ତନଳୀରେ ସୁଜନ, ବାନ୍ତି ଓ ପତଳା ଝାଡା ଭଳି ଲକ୍ଷଣ ସାମିଲ। ନୋରୋ ଭାଇରସ ସୁସ୍ଥ ଲୋକଙ୍କୁ ଅଧିକ ପ୍ରଭାବିତ କରିନଥାଏ। କିନ୍ତୁ ଶିଶୁ, ବୟସ୍କ ଓ ଅନ୍ୟ ଗମ୍ଭୀର ରୋଗ ସହ ଜଡିତ ଲୋକଙ୍କ ପାଇଁ ଭୟଙ୍କର ହୋଇପାରେ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କିମ୍ବା ସଂକ୍ରମିତ ସ୍ଥାନକୁ ଛୁଇଁଲେ ଏହା ବ୍ୟାପିଥାଏ। ଭାଇରସ ସଂକ୍ରମିତ ବ୍ୟକ୍ତିର ମଳ ଓ ବାନ୍ତି ଜରିଆରେ ବ୍ୟାପିଥାଏ। ପତଳା ଝାଡା, ପେଟ ଯନ୍ତ୍ରଣା, ବାନ୍ତି, ଅସ୍ତବ୍ୟସ୍ତ ଲାଗିବ, ଭୀଷଣ ଜ୍ୱର, ମୁଣ୍ଡବିନ୍ଧା ଆଦି ନୋରୋ ଭାଇରସର ସାମାନ୍ୟ ଲକ୍ଷଣ।

କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଜାରି ଗାଇଡଲାଇନରେ କୁହାଯାଇଛି ଯେ ଯେଉଁମାନେ ନୋରୋ ଭାଇରସରେ ସଂକ୍ରମିତ ସେମାନେ ଘରେ ଆରାମ କରନ୍ତୁ। ଓଆରଏସ ଓ ଫୁଟା ପାଣି ପିଅନ୍ତୁ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତ ଭଲ ଭାବେ ସଫା କରନ୍ତୁ। ପଶୁଙ୍କ ସଂସ୍ପର୍ଶରେ ଆସୁଥିବା ଲୋକେ ବିଶେଷ ସତର୍କ ରହିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.