୧୨୨ ସିଆରପିଏଫ ଯବାନ କରୋନା ସଂକ୍ରମିତ, ଆହୁରି ୧୦୦ଙ୍କ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ, ୦୨|୦୫: ଦିଲ୍ଲୀରେ ମୁତୟନ ଥିବା ୧୦୦ରୁ ଅଧିକ ସିଆରପିଏଫ  ଯବାନ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ହୋଇଥିବା ୧୨୨ଜଣ ଯବାନ ଦେଶର ସର୍ବବୃହତ ପାରାମିଲିଟାରୀ ଫୋର୍ସ ସିଆରପିଏଫର ୩୧ ବାଟାଲିୟନରେ କାର୍ଯ୍ୟରତ । ଏହି ବାଟାଲିୟନରେ ୧୦୦୦ରୁ ଅଧିକ ଯବାନ ରହିଛନ୍ତି । ଏମାନଙ୍କୁ ଦିଲ୍ଲୀର ମୟୂର ବିହାରରେ ମୁତୟନ କରାଯାଇଥିଲା ।

ପୂର୍ବରୁ ଗତ ଶୁକ୍ରବାର ୧୨ଜଣ ସିଆରପିଏଫ ଯବାନ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲା । ଏପରିକି ଜଣେ ୫୫ ବର୍ଷୀୟ ସବଇନ୍ସପେକ୍ଟର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ବର୍ତ୍ତମାନ ଆହୁରି ୧୦୦ ଯବାନଙ୍କ ନମୂନା ଟେଷ୍ଟ୍ ପାଇଁ ପଠାଯାଇଛି । ଯାହାର ରିପୋର୍ଟ ଆସିନାହିଁ ।

ସିଆରପିଏଫର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ପାରାମିଲିଟାରୀ ଫୋର୍ସର ମେଡିକାଲ୍ ଓ୍ୱିଙ୍ଗକୁ ଏପ୍ରିଲ ମାସରେ ଏକ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଥିଲା । ଏଥିରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାର ୫ ଦିନ ଯାଏଁ କୌଣସି ଲକ୍ଷଣ ଦେଖାନଗଲେ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଥିଲା । ତେବେ ଜଣେ କନଷ୍ଟେବଳଙ୍କ ଓ ନର୍ସିଂ କର୍ମଚାରୀଙ୍କଠାରୁ ଏହା ବ୍ୟାପିଥିବା ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଏପ୍ରିଲରେ ସିଆରପିଏଫ ଡିଜି ଏପି ମହେଶ୍ୱରୀ ନିଜକୁ କ୍ୱାରେଣ୍ଟାଇନ କରିଥିଲେ । ସେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.