Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୨୦୦ଟଙ୍କା କିଲୋ ମିଳିଥାଏ ଏହି ସୁଆଦିଆ ପରିବା : କିନ୍ତୁ ୨ଦିନରେ ହୋଇଯାଇଥାଏ ଖରାପ

24/08/2020 at 10:30 AM

ରାଞ୍ଚି ୨୪/୮: ସମ୍ଭବତଃ ଏହା ଦେଶର ସବୁଠୁ ମହଙ୍ଗା ପରିବା। କେବଳ ଶ୍ରାବଣ ମାସରେ ଏହା ବିକ୍ରି ହୋଇଥାଏ। ତାହା ବି ଦେଶର ମାତ୍ର ଦୁଇଟି ରାଜ୍ୟ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ। କିନ୍ତୁ ଦୁଇଟି ସ୍ଥାନରେ ଏହାର ନାମ ଅଲଗା। ଏହି ପରିବାର ନାଁ ଖୁଖଡ଼ି। ଏହାର ମୂଲ୍ୟ ପ୍ରତି କିଲୋକୁ ୧୨୦୦ଟଙ୍କା। କିନ୍ତୁ ବଜାରରେ ଆସିବା ମାତ୍ରେ ଏହି ପରିବା ଆଖି ପିଛୁଳାକେ ବିକ୍ରି ହୋଇଯାଇଥାଏ। ଏହି ପରିବାରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ୍ ମିଳିଥାଏ।

ଛତିଶଗଡ଼ରେ ଏହାକୁ ଖୁଖଡ଼ି କୁହାଯାଏ। ସେହିପରି ଝାଡ଼ଖଣ୍ଡରେ ଏହାକୁ ରୁଗଡ଼ା କୁହାଯାଏ। ଏହି ଦୁଇଟି ଛତୁର ଗୋଟିଏ ପ୍ରଜାତି। ଏହି ପରିବା ଏକ ପ୍ରକାରର ଛତୁ ଯାହା ପ୍ରାକୃତିକ ଭାବେ ଜଙ୍ଗଲରୁ ବାହାରିଥାଏ। ଏହି ପରିବାକୁ ଦୁଇ ଦିନ ମଧ୍ୟରେ ରୋଷେଇ କରି ଖାଇବାକୁ ପଡ଼ିଥାଏ,ନହେଲେ ଏହା ଖରାପ ହୋଇଯାଇଥାଏ। ଛତିଶଗଡ଼ର ବଳରାମପୁର,ସୂରଜପୁର,ସରଗୁଜା ସମେତ ଉଦୟପୁରରେ ଲାଗିଥିବା କୋରବା ଜିଲ୍ଲାର ଜଙ୍ଗଲରେ ବର୍ଷା ଦିନେ ପ୍ରାକୃତିକ ଭାବେ ଖୁଖଡ଼ି ମିଳିଥାଏ।

୨ମାସ ଯାଏଁ ଫଳୁଥିବା ଖୁଖଡ଼ିର ଚାହିଦା ଏତେ ଅଧିକ ଯେ ଜଙ୍ଗଲରେ ରହୁଥିବା ଗାଁ ଲୋକେ ଏହାକୁ ଜମା କରି ରଖିଥାନ୍ତି। ଛତିଶଗଡ଼ର ଅମ୍ବିକାପୁର ସହିତ ଅନ୍ୟ ନଗରରେ ଦଲାଲ ଏହାକୁ କମ୍ ଦାମରେ କିଣି ୧୦୦୦ଟଙ୍କାରୁ ନେଇ ୧୨୦୦ ଟଙ୍କା ପ୍ରତି କିଲୋ ବିକ୍ରି କରିଥାନ୍ତି। ସିଜନରେ ପ୍ରତିଦିନ ଅମ୍ବିକାପୁର ବଜାରରେ ଏହାର ପାଖାପାଖି ୫କ୍ବିଣ୍ଟାଲ୍ ଯୋଗାଣ ହୋଇଥାଏ।

ଖୁଖଡ଼ି ଏକ ପ୍ରକାରର ଧଳା ଛତୁ। ଖୁଖଡ଼ିର ଅନେକ ପ୍ରଜାତି ଏବଂ କିସମ ରହିଛି। ଲମ୍ବା ଡେମ୍ଫ ଥିବା ସୋରବା ଖୁଖଡ଼ି ଅଧିକ ପସନ୍ଦ କରାଯାଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଶ୍ରାବଣର ପବିତ୍ର ମାସରେ ଝାଡ଼ଖଣ୍ଡ ଲୋକେ ମାଛମାଂସ ଖାଇବା ବନ୍ଦ କରି ଦେଇଥାନ୍ତି। ଏପରି କ୍ଷେତ୍ରରେ ଏଠାରେ ଖୁଖଡ଼ି ଚିକେନ ଏବଂ ମଟନଠୁ ଭଲ ବିକଳ୍ପ ହୋଇଥାଏ। କିନ୍ତୁ ଏଥିପାଇଁ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ରାଞ୍ଚିରେ ଏହା ୭୦୦ରୁ ୮୦୦ଟଙ୍କା ପ୍ରତି କିଲୋ ମୂଲ୍ୟରେ ବିକ୍ରି ହୋଇଥାଏ।

ପରିବା ବ୍ୟତୀତ ଏହାର ଉପଯୋଗ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ। କୁହାଯାଏ ଯେ ବର୍ଷା ଦିନେ ବିଜୁଳି ମାରିଲେ ପୃଥିବୀ ଫାଟିଥାଏ। ଏହି ସମୟରେ ପୃଥିବୀ ଭିତରୁ ଧଳା ରଙ୍ଗର ଖୁଖଡ଼ି ବାହାରିଥାଏ। ପଶୁ ଚରାଳିମାନେ ଖୁଖଡ଼ିକୁ ଭଲ ଭାବେ ଚିହ୍ନିଥାନ୍ତି। ତାଙ୍କୁ ଏହା ମଧ୍ୟ ଜଣା ହୋଇଥାଏ ଯେ କେଉଁ ସ୍ଥାନରେ ଖୁଖଡ଼ି ମିଳିଥାଏ।

   Related Posts