ସଙ୍କଟରେ ଏୟାର ଇଣ୍ଡିଆ, ବିନିବେଶ ପୂର୍ବରୁ ପାଇଲଟଙ୍କ ସାମୂହିକ ଇସ୍ତଫା
13/10/2019 at 3:35 PM

ନୂଆଦିଲ୍ଲୀ : ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ସଙ୍କଟ । କିଛି ସମୟ ପୂର୍ବରୁ ସରକାର ଏୟାର ଇଣ୍ଡିଆର ବିନିବେଶ ଲାଗି ବିଚାରକରୁଥିଲେ। ତେବେ ଏ ଦିଗରେ କୌଣସି ପଦକ୍ଷେପ ନିଆଯିବା ପୂର୍ବରୁ ଇନକ୍ରିମେଣ୍ଟ ଓ ପ୍ରମୋସନ ଅସନ୍ତୋଷକୁ ନେଇ କର୍ମଚାରୀମାନେ ସାମୂହିକ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ରବିବାର ସୁଦ୍ଧା ଏ-୩୨୦ ଏୟାର ବସ୍ ର ୧୨୦ ଜଣ ପାଇଲଟ ସେମାନଙ୍କ ଇସ୍ତଫାପତ୍ର ସଂସ୍ଥାକୁ ଦେଇଥିବା ଜଣାପଡିଛି।

ଏୟାର ଇଣ୍ଡିଆ ପାଇଲଟମାନେ ଦୀର୍ଘ ଦିନରୁ ବେତନ ବୃଦ୍ଧି ଓ ପ୍ରମୋସନ ଦାବି କରିଆସୁଛନ୍ତି। ତେବେ ସେମାନଙ୍କ ଦାବିପ୍ରତି ପରିଚାଳନା କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ପାଇଲଟମାନେ ଅଭିଯୋଗ କରିଛନ୍ତି। ଏହି ପାଇଲଟମାନଙ୍କୁ ଏୟାର ଇଣ୍ଡିଆ ପ୍ରଥମେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲା। ୫ ବର୍ଷ ଲାଗି ସେମାନଙ୍କୁ ନିମ୍ନ ବେତନହାରରେ ନିଯୁକ୍ତି ଦେଇଥିବା ବେଳେ ପରେ ସେମାନଙ୍କ ଲାଗି ନିଯୁକ୍ତି ସର୍ତ୍ତାବଳି ପରିବର୍ତ୍ତନ ହେଉନଥିବା ବେଳେ ଦରମା ମଧ୍ୟ ବୃଦ୍ଧି ହେଉନି।

ପାଇଲଟମାନେ ଅଭିଜ୍ଞତା ଆଧାରରେ ବେତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଚାହୁଁଛନ୍ତି। ହେଲେ ସେମାନଙ୍କ ଦାବିପ୍ରତି ଦୃଷ୍ଟି ଦିଆଯାଉ ନାହିଁ ବୋଲି ପାଇଲଟମାନେ ଅଭିଯୋଗ କରିଛନ୍ତି। ଏଣୁ ଅନ୍ୟ ବିମାନ ସଂସ୍ଥାରେ ଉଚ୍ଚ ବେତନ ହାରରେ ନିଯୁକ୍ତି ସୁଯୋଗ ଥିବା ବେଳେ ଏୟାର ଇଣ୍ଡିଆରେ କାହିଁକି ସେମାନେ ସମୟ ଅପଚୟ କରିବେ ବୋଲି ଓଲଟି ପ୍ରଶ୍ନ କରୁଛନ୍ତି। ତେବେ ପାଇଲଟଙ୍କ ସାମୂହିକ ଇସ୍ତଫା ଯୋଗୁ ଏୟାର ଇଣ୍ଡିଆର ସେବା ପ୍ରଭାବିତ ହେବ ନାହିଁ ବୋଲି ମୁଖପାତ୍ର କହିଛନ୍ତି। ବଳକା ଉଡାଣ କର୍ମଚାରୀଥିବାରୁ ପରିସ୍ଥିତି ଆୟତ୍ତାଧିନ ଥିବା ମୁଖପାତ୍ର କହିଛନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆରେ ୪ ହଜାର ପାଇଲଟ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୦୦ ଏକଜ୍ୟୁକୁଟିଭ ବୋଲି ଜଣାପଡିଛି।