୨୬/୧୧ ମୁମ୍ବାଇ ଆକ୍ରମଣ : ୩ ଦିନର ଲଢେଇ ପରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲା ସଫଳତା, ଜାଣନ୍ତୁ ଆତଙ୍କୀମାନେ କିପରି ରଚିଥିଲେ ଷଡ଼ଯନ୍ତ୍ର…
26/11/2020 at 10:53 AM

ମୁମ୍ବାଇ ୨୬।୧୧: ପାକିସ୍ତାନରୁ ଆସିଥିବା ୧୦ ଆତଙ୍କବାଦୀ ବର୍ଷ ୨୦୦୮ ମସିହାରେ ଆଜିର ଦିନରେ ମୁମ୍ବାଇରେ ଆତଙ୍କୀଲୀଳା ରଚିଥିଲେ । ଗୁଳି ଓ ବୋମାମାଡ଼ରେ ଥରିଥିଲା ମୁମ୍ବାଇ । ୨୬ ନଭେମ୍ବର ୨୦୦୮ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତ ଇତିହାସରେ ଏହା ସବୁଠାରୁ ବଡଧରଣର ଆତଙ୍କୀ ଆକ୍ରମଣ ବୋଲି ଗଣନା କରାଯାଏ । ତେବେ ୩ଦିନ ଧରି ଚାଲିଥିବା ଲଢେଇରେ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କୀଙ୍କୁ ନିହତ କରିବା ସହ ଜଣେ ଆତଙ୍କୀକୁ ଗିରଫ କରିଥିଲେ । ଯାହାର ନାମ ଆଜମଲ ଆମିର କସାବ ଥିଲା । ଯାହାକୁ ଡିସେମ୍ବର ୨୦୧୨ରେ ପୁଣେରେ ଫାସି ଦିଆଯାଇଥିଲା ।
କିପରି ଥିଲା ପୁରା ଘଟଣା…
ମୁମ୍ବାଇ ଆକ୍ରମଣ ଘଟଣାର ଛାନ୍ଭିନ୍ରୁ ଜଣାପଡିଥିଲା ଯେ, ଲସ୍କର-ଇ-ତୋଇବାର ୧୦ଜଣ ଆତଙ୍କୀ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପ୍ରବେଶ କରିଥିଲେ । ସମସ୍ତ ଆତଙ୍କୀ ୨୬ ନଭେମ୍ବର ରାତିରେ ପ୍ରାୟ ୮ଟା ସମୟରେ କୋଲାବା ନିକଟରେ ଥିବା ଏକ ବସ୍ତିରେ ଓହ୍ଲାଇଥିଲେ । ସେଠାରୁ ଆତଙ୍କୀମାନେ ୪ଟି ଗ୍ରୁପର ବାଣ୍ଟି ହୋଇ ସହରର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଟ୍ୟାକ୍ସି ମାଧ୍ୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥିଲେ । ଏହି ସମୟରେ ଆତଙ୍କୀମାନଙ୍କ ଗତିବିଧିକୁ ଦେଖି ସନ୍ଦେହ ହେବାରୁ ସ୍ଥାନୀୟ ମତ୍ସଜୀବୀମାନେ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ପୋଲିସ ମତ୍ସଜୀବୀମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ।
୨୬ ନଭେମ୍ବର ରାତି ପ୍ରାୟ ୯ ଟା ସମୟରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଳରେ ଗୁଳିମାଡ଼ର ଖବର ଆସିଥିଲେ । ରେଳଓ୍ୱେ ଷ୍ଟେସନରେ ୨ଜଣ ଆତଙ୍କବାଦୀ ଏକ-୪୭ ଧରି ଅନ୍ଧାଧୁନ ଗୁଳିମାଡ କରିଥିଲେ । ପ୍ରାୟ ୧୫ ମିନିଟରେ ୫୨ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କାବାଦୀ । ସେହିପରି ୧୦୯ଜଣ ଲୋକ ଆହତ ହୋଇଥିଲେ । ଏହାପରେ ଆତଙ୍କୀମାନେ ଦକ୍ଷିଣ ମୁମ୍ବାଇ ଏକ କେଫେ, ବୋରିବନ୍ଦର,ବିଲି ପାରଲେ, ତାଜ ହୋଟେଲ , ଅବରୋଏ, ଟ୍ରାଇଡେଣ୍ଟ ହୋଟେଲ ଓ ନରମନ ହାଉସରେ ଆକ୍ରମଣ କରିଥିଲା ।

ଆକ୍ରମଣରେ ସମୟରେ ଲିୟୋପୋଲ୍ଡ କେଫେରେ ଅନେକ ବିଦେଶୀ ନାଗରିକଙ୍କ ସମେତ ୧୮୦୦ରୁ ଅଧିକ ଅତିଥି ଉପସ୍ଥିତ ରହିଥିଲେ । ସେହିପରି ତାଜରେ ୪୫୦ , ଓବରୋଏରେ ୩୮୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଆତଙ୍କବାଦୀମାନେ ତାଜ୍ ଓ ଓବରୋୟ ହୋଟେଲ ବ୍ୟତୀତ ୟ୍ୟାହୁଦିମାନଙ୍କ ମୁଖ୍ୟ କେନ୍ଦ୍ର ନରିମନ ପଏଣ୍ଟରେ ଦଖଲ କରିବା ସହ ଅନେକ ଲୋକଙ୍କୁ ବନ୍ଧକ ରଖିଦେଇଥିଲେ । ଆକ୍ରମଣ ଘଟଣାକୁ ନେଇ ତୁରନ୍ତ ଆକ୍ସନରେ ଆସିଯାଇଥିଲେ ସରକାର । ତତ୍କାଳ ରାପିଡ଼ ଆକ୍ସନ ଫୋର୍ସ, ମେରାଇନ କମାଣ୍ଡୋ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG)ଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀଙ୍କୁ ନିହତ ପାଇଁ ୩ଦିନ ସମୟ ଲାଗିଯାଇଥିଲା ।
ସେହି ସମୟରେ ପୁରା ଘଟଣାର ଲାଇଭ ମିଡିଆ କଭ୍ରେଜ୍ ପାଇଁ ଅଧିକ କ୍ଷତି ସହିବାକୁ ପଡିଥିଲା । ପାକିସ୍ତାନରେ ବସିଥିବା ଆତଙ୍କୀମାନେ ଟିଭିକୁ ଦେଖି ପ୍ରତି କ୍ଷଣର ଖବର ଦେଉଥିଲେ । ଯାହାଦ୍ୱାରା ଆତଙ୍କୀମାନଙ୍କୁ ଲୁଚିବାରେ ସହଯୋଗ ହେଉଥିଲା । ଏହାର ସୁଯୋଗ ନେଇ ଭିନ୍ନ ଭିନ୍ନ ଜାଗାରେ ବିସ୍ଫୋରଣ, ନିଆଁ ଲଗାଇବା ଓ ଗୁଳିମାଡ଼ କରି ଅନେକ ବନ୍ଧକଙ୍କୁ ହତ୍ୟା କରୁଥିଲେ । ପ୍ରାୟ ୬୦ଘଣ୍ଟା ଧରି ଚାଲିଥିବା ଏହି ଲଢେଇ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କୀଙ୍କୁ ନିହତ କରିଥିବା ବେଳେ ଜଣେ ଆତଙ୍କୀଙ୍କୁ ଗିରଫ କରିଥିଲେ । ଯାହାର ନାମ ଆଜମଲ ଆମିର କସାବ ଥିଲା । ସୁରକ୍ଷାକର୍ମୀମାନେ କସାବକୁ ୨୭ ନଭେମ୍ବର ଦିନ ଗିରଫ କରିଥିଲେ ।
ପୋଲିସ ଆଗରେ ନିଜ ଅପରାଧ ମାନିଥିଲେ କସାବ । ଏହାପରେ କସାବକୁ ଆର୍ଥର ରୋଡ଼ ଜେଲ୍ରେ ଟ୍ରାଏଲ ପାଇଁ ଚୟନ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଉଜ୍ଜଳ ନିକମଙ୍କୁ ସରକାରୀ ଓକିଲା ଭାବେ ଚୟନ କରାଯାଇଥିଲା । ସେପଟେ ସ୍ୱତନ୍ତ୍ର କୋର୍ଟ ଅଞ୍ଜଳି ବାଘମାରେଙ୍କୁ କସାବଙ୍କୁ ପକ୍ଷରୁ କେସ୍ ଲଢିବାକୁ ନିଯୁକ୍ତ କରିଥିଲେ । କସାବକୁ ୩୧୨ ମାମଲାରେ ଅଭିଯୁକ୍ତ କରାଯାଇଥିଲା । ମେ ୨୦୧୦ରେ ସ୍ୱତନ୍ତ୍ର କୋର୍ଟ କସାବକୁ ଦୋଷୀ ଭାବେ ମାନି ଫାସୀ ଦଣ୍ଡ ଶୁଣାଇଥିଲେ । କିନ୍ତୁ ସ୍ୱତନ୍ତ୍ର କୋର୍ଟଙ୍କ ରାୟ ପରେ କସାବ ନିଜକୁ ନାବାଳକ ଦର୍ଶାଇ ହାଇକୋର୍ଟରେ ଅପିଲ କରିଥିଲେ । କେବଳ ଏତିକି ନୁହେଁ ମୁମ୍ବାଇ ଆକ୍ରମଣ ଘଟଣାରେ କସାବକୁ ଫସାଇ ଦିଆଯାଇଛି ବୋଲି କୋର୍ଟରେ ଦାବି ରଖାଯାଇଥିଲା । ପୋଲିସ ମିଥ୍ୟ କେସ୍ରେ ତାକୁ ଫସାଇଛି ବୋଲି ଉଲ୍ଲେଖ ରହିଥିଲା ।

ପେବୃଆରୀ ୨୦୧୧ରେ ହାଇକୋର୍ଟ କସାବଙ୍କୁ ସ୍ୱତନ୍ତ କୋର୍ଟରୁ ଦିଆଯାଇଥିବା ଦଣ୍ଡକୁ ଗ୍ରହଣ କରିବା ସହ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଜୁଲାଇ ୨୦୧୧ରେ କସାବର ଫାସୀ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ ହୋଇଥିଲା । ଅକ୍ଟୋବର ୨୦୧୧ରେ ସୁପ୍ରିମକୋର୍ଟ ଫାଶୀ ଉପରେ ରୋକ୍ ଲଗାଇଥିଲେ, ଏବଂ ପୁଣି ଥରେ ମାମଲାରୁ ଶୁଣାଣି ଆରମ୍ଭ କରିଥିଲେ । ଅପ୍ରେଲ୍ ୨୦୧୨ରେ ସୁପ୍ରିମକୋର୍ଟ ପୁରା ଘଟଣାର ଶୁଣାଣି କରି ରାୟକୁ ସ୍ଥଗିତ ରଖିଥିଲେ । ଅଗଷ୍ଟ ୨୦୧୨ରେ ସୁପ୍ରିମକୋର୍ଟ କସାବକୁ ଫାଶୀ ଦିଆଯିବା ନେଇ ରାୟ ଶୁଣାଇଥିଲେ ।
ଏହାପରେ ଅକ୍ଟୋବରରେ କସାବ ରାଷ୍ଟ୍ରପତିଙ୍କ ନିକଟକୁ କ୍ଷମା ଆବେଦନ କରିଥିଲେ । କସାବର ଆବେଦନକୁ ଗୃହ ମନ୍ତ୍ରଣାଳୟ ଖାରଜ କରିଦେଇଥିଲା । ଗୃହ ବିଭାଗ ନିକଟ ସୁପାରିଶ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେଇଥିଲା । ଏହାପରେ ୫ ନଭେମ୍ବର ୫ରେ ରାଷ୍ଟ୍ରପତି ମଧ୍ୟ କସାବର କ୍ଷମା ଆବେଦନକୁ ଖାରଜ କରିଦେଥିଲେ । ନଭେମ୍ବର ମାସ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କୁ ଫାଶୀ ଦଣ୍ଡ ନେଇ ଥିବା ଫାଇଲ୍କୁ ପଠାଯାଇଥିଲା । ରାଜ୍ୟ ସରକାର ୨୧ ନଭେମ୍ବର ଦିନ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ୨୧ ନଭେମ୍ବର ସକାଳ ୭.୩୦ରେ କସାବକୁ ପୁଣେର ଏରବଡ଼ା ଜେଲ୍ରେ ଫାଶୀ ଦିଆଯାଇଥିଲା ।