ଗର୍ଭବତୀ ହେଲେ ସପ୍ତମ ଶ୍ରେଣୀ ଛାତ୍ରୀ, ଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ମୋକଦ୍ଦମା ରୁଜୁ

Published By : Prameya-News7 Bureau | August 26, 2019 IST

ମାଲାପୁରମ : ଶିକ୍ଷକଙ୍କ ଦୁଷ୍କର୍ମର ଶିକାର ଏକ ୧୨ ବର୍ଷ ବୟସ୍କା ନାବାଳିକା ଛାତ୍ରୀ  ଗର୍ଭବତୀ ହେବା କେରଳ ମାଲାପୁରମରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରୀଟି ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ  ଗର୍ଭବତୀ ହେବା ଘଟଣା ଜଣାପଡିବା ପରଠାରୁ ସମ୍ପୃକ୍ତ ଶିକ୍ଷକ ଫେରାର ହୋଇଯାଇଛନ୍ତି। ଛାତ୍ରୀ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାକୁ ହସ୍ପିଟାଲକୁ ନେଇଥିଲେ। ଡାକ୍ତରୀ ପରୀକ୍ଷଣ ବେଳେ ସେ ଗର୍ଭବତୀ ଥିବା ଜଣାପଡିଛି।

ଗତ ୨ ମାସ ହେଲା ଶିକ୍ଷକ ବିଦ୍ୟାଳୟରେ ଛାତ୍ରୀଟି ପ୍ରତି ଦୁଷ୍କର୍ମ କରିଆସୁଥିଲେ। ହେଲେ ଏ ନେଇ ପରିବାର ଲୋକଙ୍କୁ ଜଣାନଥିଲା। ତେବେ ଘଟଣା ଜଣାପଡିବା ପରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିବା ବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି। ପୋଲିସ ପଚରା ଉଚରା ବେଳେ ଛାତ୍ରୀଟି ଏଥିଲାଗି ଶିକ୍ଷକଙ୍କୁ ଦାୟି କରିଥିବା ବେଳେ ପୋଲିସ ନାବାଳିକା ଦୁଷ୍କର୍ମ ଓ ଯୌନ ଶୋଷଣ ଅଭିଯୋଗରେ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

ସେପଟେ ମାମଲା ପୋଲିସ ଥାନାରେ ପହଞ୍ଚିଥିବା ଜାଣିବା ପରଠାରୁ ଶିକ୍ଷକ ଆଉ ବିଦ୍ୟାଳୟକୁ ଆସୁ ନାହାନ୍ତି। ତେବେ ପୋଲିସ ଶିକ୍ଷକଙ୍କୁ ଚିହ୍ନଟ କରିଥିବା ବେଳେ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇଛି। ହେଲେ ଘଟଣା ପ୍ରଚାରିତ ହେବା ପରେ ଶିକ୍ଷକଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏଭଳି ଶିକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.