୧୨ ବର୍ଷ ନାବାଳିକାଙ୍କୁ ଟେକି ନେଇ ବିଲ ମଝିରେ କଲେ ଗଣଦୁଷ୍କର୍ମ

Published By : Prameya-News7 Bureau | November 29, 2018 IST

ଦିଲ୍ଲୀ ନରେଲା ଅଂଚଳରେ ଜଣେ ୧୨ ବର୍ଷ ନାବାଳିକାଙ୍କୁ କିଡନାପ କରି ଏକ ବିଲରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି | ଦୁଷ୍କର୍ମକାରୀ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ୩ ଅଭିଯୁକ୍ତ ହେଲେ ରବି, ମୋହିତ ଏବଂ ବିନୋଦ | ପୋଲିସ ଏମାନଙ୍କ ବାଇକକୁ ଜବତ କରିଛି | ସୂଚନାଯୋଗ୍ୟ ଯେ, ପୀଡିତା ନରେଲା ଅଂଚଳରେ ନିଜ ବାପା ମା'ଙ୍କ ସହ ରୁହନ୍ତି | ସେ ଏକ ସରକାରୀ ସ୍କୁଲରେ ପଢ଼ନ୍ତି | ପୀଡିତାଙ୍କ ବାପା ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି | ବୁଧବାର ବିଳମ୍ବିତ ରାତିରେ ନରେଲା ଅଂଚଳରେ ପୋଲିସ ପିସିଆର ଭ୍ୟାନରେ ଥିବା ପୋଲିସ ଏକ ଟାଟା ଏସି ଗାଡିକୁ ଦ୍ରୁତ ଗତିରେ ଯାଉଥିବା ଦେଖିଥିଲେ | ସନ୍ଦେହ କରି ପୋଲିସ ଟାଟା ଏସି ଗାଡିକୁ ପିଛା କରିଥିଲା | ଗାଡିକୁ ଅଟକାଇବାରେ ପୋଲିସ ସକ୍ଷମ ହୋଇଥିଲା | ଗାଡି ଅଟକାଇବା ପରେ ପୋଲିସ ଦେଖିଥିଲା ଗାଡିରେ ଡ୍ରାଇଭର ସମେତ ୪ଜଣ ଥିଲେ | ତାଙ୍କ ସହ ଜଣେ ନାବାଳିକା ମଧ୍ୟ ଥିଲେ ଏବଂ ସେ ଅତ୍ୟନ୍ତ ଡରିଯାଇଥିବା ଭଳି ଜଣାପଡୁଥିଲେ | ପୋଲିସ ସଙ୍ଗେସଙ୍ଗେ କଣ୍ଟ୍ରୋଲ ରୁମକୁ ଫୋନ କରି ଘଟଣା ସମ୍ପର୍କରେ ଜଣେଇଥିଲେ | ନରେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ତିନି ଜଣ ଯାକ ନରେଲାରେ ହିଁ ରୁହନ୍ତି | ଟାଟା ଏସି ଗାଡି ମୋହିତର ବୋଲି ଜଣାପଡିଥିଲା | ବିନୋଦ ରାଜମିସ୍ତ୍ରୀ କାମ କରେ ଏବଂ ରବି ଫୁଲ ବିକେ | ନାବାଳିକାଙ୍କୁ ପଚରାଉଚୁରା କରିବାରୁ ସେ କହିଥିଲେ ଯେ, ତିନି ଜଣ ତାଙ୍କୁ କିଡନାପ କରି ଏକ ବିଲରେ ନେଇ ଗଣଦୁଷ୍କର୍ମ କରିଛନ୍ତି | ଏବଂ କାହାକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ | ପୋଲିସ ନାବାଳିକାଙ୍କ ଘରଲୋକଙ୍କୁ ଏ ସମ୍ପର୍କରେ ଜଣେଇଥିଲେ | ପୀଡିତାଙ୍କର ଡାକ୍ତରୀ ମଇନା କରାଯାଇଥିଲା | ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଡାକ୍ତର କହିଥିଲେ | ନାବାଳିକାଙ୍କୁ ଅଭିଯୁକ୍ତମାନେ ସନ୍ଧ୍ୟାରେ ତାଙ୍କ ଘର ପାଖରୁ ହିଁ କିଡନାପ କରିନେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.