ଇଦ୍‌ ଦିନକୁ ବି ଛାଡିଲେନି, ନମାଜ ପାଠ ସମୟରେ ମସଜିଦ୍‌ରେ ବିସ୍ଫୋରଣ, ଇମାମଙ୍କ ସହ ୧୨ ମୃତ

Published By : Prameya-News7 Bureau | May 14, 2021 IST

କାବୁଲ ୧୪।୦୫: ପବିତ୍ର ରମଜାନ ମାସରେ ମଧ୍ୟ ଆତଙ୍କବାଦୀଙ୍କ ହିଂସା ଜାରି ରହିଛି। ପୁଣି ଇଦ୍‌ ଦିନରେ ହିଂସା ଘଟାଇବାକୁ ପଛେଇ ନାହାନ୍ତି ଆତଙ୍କୀ। ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଶୁକ୍ରବାର ଇଦ୍‌ ଅବସରରେ ନମାଜ ପାଠ ବେଳେ ଏକ ମସଜିଦ୍‌ରେ ବିସ୍ଫୋରଣ ହେବାରୁ ୧୨ ଜଣଙ୍କ ମୃତ୍ୟୁ  ଘଟିଛି।

କାବୁଲ ପୋଲିସର ମୁଖପାତ୍ର ଫର୍ଦବସ ଫରାମର୍ଜ କହିଛନ୍ତି, ମସଜିଦ୍‌ର ଇମାମ ମୁଫତ ନଇମମଙ୍କ ମଧ୍ୟ ଆକ୍ରମଣରେ ମୃତ୍ୟୁ ଘଟିଛି। ଆତଙ୍କୀ ହମଲାରେ ୧୫ ଜଣ ଆହତ  ହୋଇଛନ୍ତି। ଫରାମର୍ଜ କହିଛନ୍ତି, ନମାଜ ଆରମ୍ଭ ହେବା ମାତ୍ରେ ଏକ ବିସ୍ଫୋରଣ ଘଟିଥିଲା। ଏ ପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ମାତ୍ର ପ୍ରାରମ୍ଭିକ ତଦନ୍ତରୁ  ଜଣା ପଡିଛି ଯେ, ଇମାମକୁ ଟାର୍ଗେଟ୍‌ କରାଯାଇ ଏହି ଆକ୍ରମଣ କରାଯାଇଛି।

ସାମାଜିକ ଗଣମାଧ୍ୟମରେ ଥିବା ଫଟୋରେ ତିନି ମୃତଦେହ ରକ୍ତ  ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି। ଏଥିରେ ଜଣେ ନାବାଳକ ମଧ୍ୟ ସାମିଲ। ଏହି ବିସ୍ଫୋରଣ ସେହି ସମୟରେ ଘଟିଛି, ଯେବେ ତାଲିବାନ ଓ ଆଫଗାନିସ୍ତାନ ସରକାର ଇଦ୍ ଉଲ୍ ଫିତରକୁ ଦୃଷ୍ଟିରେ ରଖି ତିନି ଦିନ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଆଫଗାନିସ୍ତାନରେ ରମଜାନ ମାସରେ ଆତଙ୍କୀ ଆକ୍ରମଣରେ ପ୍ରାୟ ୨୫୦ ଜଣଙ୍କ ପ୍ରାଣହାନୀ ଘଟି ସାରିଛି।

ସୂଚନାଯୋଗ୍ୟ, ଆମେରିକା ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର ଘୋଷଣା କରିଛି। ଆଫଗାନିସ୍ତାନରୁ ପର୍ଯ୍ୟାୟକ୍ରମେ ଆମେରିକା ସୈନ୍ୟଙ୍କ ଅପସାରଣ କରାଯାଉଛି। ଏହି କ୍ରମରେ ଆଫଗାନିସ୍ତାନ ସ୍ଥିତ କନ୍ଧାର ଏୟାରଫିଲ୍ଡକୁ ଆମେରିକା ସୈନ୍ୟ ଛାଡି ଦେଇଛନ୍ତି। ଆଫଗାନିସ୍ତାନରେ ଆମେରିକା ସୈନିକଙ୍କ ଏହା ଦ୍ଵିତୀୟ ସବୁଠୁ ବଡ ବେସ୍ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.