ଭୀଷଣ ବର୍ଷା ଯୋଗୁଁ ଭୁଶୁଡିଲା କାନ୍ଥ, ୧୨ ମୃତ
2/07/2019 at 8:12 AM

ମୁମ୍ବାଇ ୨|୭: ମହରାଷ୍ଟ୍ରର ମୁମ୍ବାଇରେ ଆଜି ସକାଳୁ ମାଲଦ ଅଞ୍ଚଳରେ କାନ୍ଥ ଭୁଶୁଡି ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ମୁମ୍ବାଇରେ ଭୀଷଣ ବର୍ଷା ଲାଗି ରହିବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ମାଲଦ ପୂର୍ବାଞ୍ଚଳରେ ଥିବା ପିମ୍ପ୍ରିପଡାରେ ଆଜି ଭୋରରୁ କାନ୍ଥ ଭୁଶୁଡି ପଡିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଘଟଣର ସୂଚନା ପାଇ ଏନଡିଆରଏଫ ଟିମ୍ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏନଡିଆରଏଫ ଟିମ୍ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ୧୩ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୀଡିତ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଏହାସହ ସେ ପୀଡିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଆନ୍ୟପଟେ ସରକାର ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।