ନୂଆ Covid ଷ୍ଟ୍ରେନକୁ ନେଇ ତେଲେଙ୍ଗାନାରେ ଆତଙ୍କ, ରାଜ୍ୟକୁ ବ୍ରିଟେନରୁ ଫେରିଛନ୍ତି ୧୨ଶହ ଲୋକ
25/12/2020 at 8:30 PM

ହାଇଦ୍ରାବାଦ ୨୫।୧୨: ବ୍ରିଟେନରେ କରୋନା ଭୂତାଣୁର ମ୍ୟୁଟେସନ ହୋଇଥିବା ଜଣାପଡିବା ପରେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏଥିରୁ ଭାରତୀୟ ରାଜ୍ୟମାନେ ମଧ୍ୟ ଏବେ ବାଦେ ନାହାନ୍ତି। ଯେଉଁ ସମୟରେ ବ୍ରିଟେନରେ କରୋନା ନୂଆ ପ୍ରକାର ଭୂତାଣୁ ସମ୍ପ୍ରସାରିତ ହେଉଥିଲା ସେତିକି ବେଳେ ତେଲେଙ୍ଗାନା ରାଜ୍ୟକୁ ବ୍ରିଟେନରୁ ୧୨ଶହ ଲୋକେ ଆସିଥିବାର ତେଲେଙ୍ଗାନା ସ୍ୱାସ୍ଥ୍ୟ ଅଧିକାରୀ ଡା.ଜି.ଶ୍ରୀନିବାସନ ରାଓ ଏକ ବୟାନ ଜାରି କରି କହିଛନ୍ତି।
ସରକାର ବ୍ରିଟେନରୁ ଆସିଥିବା ରାଜ୍ୟର ଲୋକଙ୍କ ସହ ସମ୍ପର୍କ ସ୍ଥାପନା କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ଏପରି ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିର ଯାଞ୍ଚ ମଧ୍ୟ କରାଯାଉଥିବା ଡା. ରାଓ କହିଛନ୍ତି। ଏପର୍ଯ୍ୟନ୍ତ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୧୬ ଜଣଙ୍କୁ କୋଭିଡ ପଜିଟିଭ ଚିହ୍ନଟ କରାଯାଇଥିବା ସେ କହିଛନ୍ତି।
ସତର୍କ ହେଲେ କେରଳ ସରକାର
ତେଲେଙ୍ଗାନାକୁ ବ୍ରିଟେନର ଲୋକେ ଫେରିଥିବା ସୂଚନାରେ କେରଳ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ବ୍ରିଟେନରେ ବ୍ୟାପୁଥିବା କୋଭିଡ ନୂଆ ଷ୍ଟ୍ରେନ ରାଜ୍ୟକୁ ନ ଆସୁ ସେଥିଲାଗି ସବୁ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ କେରଳସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବ୍ରିଟେନ, ଇଟାଲୀ ଓ ୟୁରୋପ ଆଦି ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩୧
ପର୍ଯ୍ୟନ୍ତ ବାତିଲ ହୋଇଛି ବିମାନ ସେବା
ବ୍ରିଟେନରେ କୋଭିଡ ନୂଆ ଷ୍ଟ୍ରେନ ସୂଚନା ମିଳିବା ପରଠାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯାତ୍ରା କଟକଣା ଜାରି କରିଛନ୍ତି। ଡିସେମ୍ବର ୩୧ ତରିଖ ରାତି ପର୍ଯ୍ୟନ୍ତ ବ୍ରିଟେନ-ଭାରତ ଉଡାଣ ବାତିଲ ହୋଇଛି। ତେବେ ଉଡାଣ ରଦ୍ଦ ହେବା ପୂର୍ବରୁ ଦେଶର ରାଜଧାନୀ ନୂଆଦିଲ୍ଲୀ, ଅମୃତସର, କୋଲକାତା, କର୍ଣ୍ଣାଟକ ଓ ଚେନ୍ନାକୁ ବ୍ରିଟେନରୁ ଅନେକ ଲୋକେ ଆସିଛନ୍ତି। ଯେଉଁମାନଙ୍କର କୋଭିଡ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି।