ଡାକ୍ତର ନିଯୁକ୍ତି ଦାବିରେ ୧୨ଘଣ୍ଟିଆ ବିନିକା ବନ୍ଦ
11/08/2018 at 3:36 AM

ସୁବର୍ଣ୍ଣପୁର ୧୧/୮ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ରେ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି। ବିନିକା ବ୍ଲକରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ଥିବା ଯୋଗୁ ଏହି ବନ୍ଦ ଡାକରା ଦେଇଛି ବିଜେପି । ଦୀର୍ଘଦିନ ହେବ ସ୍ଥାନୀୟଲୋକ ଡାକ୍ତର ଅଭାବ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିନିକା ବନ୍ଦ ଡାକରା ଦିଆଯାଇଛି । ଗତ ୬ଦିନ ହେଲା ବିନିକା ବ୍ଲକ୍ ସାମ୍ବାଦିକ ସଂଘ ମଧ୍ୟ ଡାକ୍ତର ନିଯୁକ୍ତି ଦାବି କରି ଧାରଣାରେ ବସିଛି । ଯାହାକୁ ବ୍ଲକ୍ ର ସବୁ ମହଲରେ ତଥା ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ବିଜେପି ତରଫରୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି । ଫଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଠପ୍ ହୋଇପଡିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।