ଆଦିବାସୀ ସମ୍ପ୍ରଦାୟକୁ ଧର୍ମାନ୍ତରିକରଣ ପ୍ରତିବାଦରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

Published By : Prameya-News7 Bureau | January 29, 2021 IST

ରାଇରଙ୍ଗପୁର ୨୯।୧: ଆଦିବାସୀ ସମ୍ପ୍ରଦାୟକୁ ଧର୍ମାନ୍ତରିକରଣ ପ୍ରତିବାଦରେ ଓଡିଶା ଆଦିବାସୀ ମହାସଭା ପକ୍ଷରୁ ମୟୁରଭଂଜ ବନ୍ଦ । ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ମହାସଭା । ଷ୍ଟାଇଫେଣ୍ଡ ପୋର୍ଟାଲରେ ଧର୍ମ କଲମରେ କେବଳ ଏକମାତ୍ର ହିନ୍ଦୁ ଧର୍ମ ରହିଥିବା ବେଳେ ଏହାକୁ ଦୀର୍ଘ ଦିନରୁ ଆଦିବାସୀ ଛାତ୍ରଛାତ୍ରୀମାନେ ବିରୋଧ କରିଆସୁଛନ୍ତି । ବିଭିନ୍ନ ଆଦିବାସୀ ସଂଗଠନ ମଧ୍ୟ ଏନେଇ ସ୍ବର ଉଠାଇଥିଲେ ।

ଗତ ୧୧ ତାରିଖରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଷ୍ଟାଇଫେଣ୍ଡ ପୋର୍ଟାଲରେ ସଂଶୋଧନ ନେଇ ବିଭିନ୍ନ ଆଦିବାସୀ ସଂଗଠନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ତେବେ ପ୍ରଶାସନ ଏନେଇ କୌଣସି ତତ୍ପରତା ଦେଖାଉନଥିବା ବେଳେ ସମସ୍ତ ଆଦିବାସୀ ସଂଗଠନ ଏକଜୁଟ ହୋଇ ମୟୁରଭଂଜ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇ ଡାକରା ଦେଇଥିଲେ । ଆଦିବାସୀଙ୍କ ସ୍ବାର୍ଥକୁ ନେଇ ରାଇରଙ୍ଗପୁର ଆସେକା କାର୍ଯ୍ୟାଳୟରୁ ଦିଆଯାଇଥିବା ଡାକରା ମୁତାବକ ସମସ୍ତ ଆଦିବାସୀ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ସକାଳୁ ସକାଳୁ ପିକେଟିଂ କରି ଦୋକାନ ବଜାରକୁ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।  

ଓଡିଶା ଆଦିବାସୀ ମହାସଭାର ଡ଼ାକରାରେ ସମ୍ପୂର୍ଣ୍ଣ ବାମନଘାଟି ଉପଖଣ୍ଡରେ ଅଖ ଚକ ବନ୍ଦ ରହିବା ସହିତ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ ସବୁ ବନ୍ଦ ରହିଛି । ଏହି ବନ୍ଦ ଡ଼ାକରାରେ କଲେଜ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇ ବନ୍ଦ କରାଇଛନ୍ତି । ଆସେକା, ଆଦିବାସୀ ହୋ ସମାଜ, ଭାରତୀୟ ମୁଣ୍ଡା ସମାଜ, ମୁଣ୍ଡାରୀ ସମାଜ ଓ ଆଦିବାସୀ ଛାତ୍ର ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.