ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ; ଟାୟାର ଜାଳି ରାସ୍ତା ଅବରୋଧ କଲେ ବିଜେପିକର୍ମୀ
28/09/2018 at 10:09 AM

କନ୍ଧମାଳ ୨୮/୯ : ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ । ଜିଲ୍ଲାରେ ଦୁଷ୍କର୍ମ ହତ୍ୟା ବଢିଚାଲିଥିବା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ପକ୍ଷରୁ ଦିଆଯାଇଥିବା କନ୍ଧମାଳ ବନ୍ଦର ପ୍ରଭାବ ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ପଡିଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ବିଜେପି କର୍ମୀମାନେ ସହରର ଗାନ୍ଧୀଛକ, ମାଦିକୁନ୍ଦା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବାଇକରେ ବୁଲି ପିକେଟିଂ କରିଥିଲେ । ଫଳରେ ଦୋକାନ ବଜାର, ସ୍କୁଲ, କଲେଜ ସବୁ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ବାଲିଗୁଡାରେ ମଧ୍ୟ ବିଜେପିକର୍ମୀ ମାନେ ପିଡବ୍ଲୁଡି ଛକ, ବଜାର ଛକ, କଲେଜ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସେଠାରେ ମଧ୍ୟ ଦୋକାନ, ବଜାର ସବୁ ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଛି। ଜି.ଉଦୟଗିରି ଠାରେ ମଧ୍ୟ ବିଜେପି କର୍ମୀମାନେ ଗାନ୍ଧୀଛକ ଓ ବନ୍ଧଛକ ଠାରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଥିଲେ । ଦୋକାନ, ବଜାର, ସ୍କୁଲ, କଲେଜ ସବୁ ବନ୍ଦ ରହିଛି ଜି.ଉଦୟଗିରିରେ। ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ସହ ନାରୀ ନିର୍ଯୟାତନା ଆଦି ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚ। ଏହି ବନ୍ଦ ଡାକରା ଦେଇଛି। ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।