ଯୁବତୀ ଚାଲାଣ ରାକେଟ୍: ମଧ୍ୟ ପ୍ରଦେଶରୁ ୧୨ ଯୁବତୀଙ୍କୁ ଅଣାଯାଇଥିଲା ହାଥରସ, କୋଠରୀରେ ବନ୍ଦ କରି ୩ଦିନ ରଖାଯାଇଥିଲା ଭୋକିଲା

Published By : Prameya-News7 Bureau | October 11, 2020 IST

ହାଥରସ ୧୧/୧୦ : ଉତ୍ତର ପ୍ରଦେଶ ହାଥରସ ଜିଲ୍ଲା ଚନ୍ଦପା ଥାନା ଅନ୍ତର୍ଗତ ବୁଲଗାଡୀ ଗାଁରେ ୧୯ ବର୍ଷୀୟ ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ରାଜନୀତି ଓ ଯାଞ୍ଚ ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଯୁବତୀ ଚାଲାଣ ମାମଲା ସାମ୍ନାକୁ ଆସିଛି। ମଧ୍ୟ ପ୍ରଦେଶରୁ ଅଣାଯାଇଥିବା ୧୨ ଯୁବତୀଙ୍କ ମଧ୍ୟରୁ ଜଣେ କାନ୍ଦୁଥିବା ଅବସ୍ଥାରେ ହାଥରସ ରାସ୍ତାରୁ ଉଦ୍ଧାର ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରେ ଜଣେ ନାବାଳିକା ସାମିଲ। ପୀଡିତା ଯୁବତୀ କହିଛନ୍ତି ଯେ ସମସ୍ତଙ୍କୁ ଏକ କୋଠରୀରେ ବନ୍ଧକ କରି ରଖାଯାଇଥିଲା। ୧୧ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ପୋଲିସ ଏମାନଙ୍କୁ ଖୋଜୁଛି।


ମାମଲା ସଦର ଥାନା ରୋଡବେଜ ବସ ଷ୍ଟାଣ୍ଡ ଅଞ୍ଚଳର। ସୂଚନାଯୋଗ୍ୟ ଯେ, ମଧ୍ୟ ପ୍ରଦେଶରୁ ୧୨ ଯୁବତୀଙ୍କୁ ବିକ୍ରି କରିବାକୁ ଏଠାକୁ ଅଣାଯାଇଥିଲା। ଏମାନଙ୍କୁ ୩ ଦିନ ଯାଏଁ ଭୋକିଲା ରଖାଯାଇଥିଲା। ଏମାନଙ୍କୁ ଏକ କୋଠରୀରେ ତାଲା ବନ୍ଦ କରି ରଖାଯାଇଥିଲା ଯେପରି ଏମାନେ କୁଆଡେ ଯାଇନପାରନ୍ତି। ପୋଲିସ ଅନୁଯାୟୀ, ଏମାନଙ୍କୁ ସିଲେଇ କାମ ଯୋଗେଇ ଦେବାକୁ କହି ହାଥରସ ଅଣାଯାଇଥିଲା।


ପୀଡିତ ଯୁବତୀମାନେ କହିଛନ୍ତି ଯେ ବଡ କଷ୍ଟରେ ଏମାନେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସି ରୋଡ଼ବେଜ ବସ ଷ୍ଟାଣ୍ଡରେ ପହଞ୍ଚିଥିଲେ ଓ ପୋଲିସକୁ ପୁରା ଘଟଣା କହିଥିଲେ। ସୂଚନା ପାଇବା ପରେ ପୋଲିସ ବନ୍ଧକ ଥିବା ଅନ୍ୟ ଯୁବତୀଙ୍କୁ ଉଦ୍ଧାର କରିଛି। ବର୍ତ୍ତମାନ ପ୍ରଶ୍ନ ଉଠିଛି, ହାଥରସ ଯୁବତୀ ଚାଲାଣ ରାକେଟ ସକ୍ରିୟ ରହିଛି କି ? ପୋଲିସ ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.