କାଳ ସାଜିଲା ପ୍ରକୃତି: ବଜ୍ରପାତରେ ଚାଲିଗଲା ୧୨ ଜଣଙ୍କ ଜୀବନ, ୨୪ ମଇଁଷି ମୃତ
13/09/2020 at 10:05 PM

ନୂଆଦିଲ୍ଲୀ ୧୩।୦୯: ପୂର୍ବାଞ୍ଚଳରେ ପୁଣି ଥରେ ବର୍ଷା ଓ ଘଡି ଘଡି ଲୋକଙ୍କ ପାଇଁ କାଳ ସାଜିଛି। ଶନିବାର ବିଳମ୍ଵିତ ସନ୍ଧ୍ୟାରେ ରହି ରହି ବର୍ଷା ଜାରି ରହିଛି। ଏହି ସମୟରେ ଅନେକ ସ୍ଥାନରେ ବଜ୍ରପାତ କାରଣରୁ ୧୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ବାରଣାସୀ ଓ ମିର୍ଜାପୁରରେ ତିନି ଜଣେ ଲେଖାଏଁ, ଯୌନପୁର-ଭଦୋହି-ଚନ୍ଦୋଲିରେ ଦୁଇ ଜଣ ଲେଖାଏଁ ଲୋକଙ୍କ ପ୍ରାଣହାନୀ ଘଟିଛି। ଅନେକ ଘର ବଜ୍ରପାତ କାରଣରୁ କ୍ଷତିଗ୍ରସ୍ତ ହୋଇଛି। ୨୪ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ଘଟିଛି।
ବାରଣାସୀର ରୋହନିଆ ଥାନା ଅନ୍ତର୍ଗତ ଦଫଲପୁର ଜଫରାବାଦ ଗାଁରେ ରବିବାର ଅପରାହ୍ନ ପ୍ରାୟ ୨ଟାରେ ମାଛ ଧରୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ୧୫ ବର୍ଷୀୟ ଓ ୧୦ ବର୍ଷ ବାଳକଙ୍କ ପ୍ରାଣହାନୀ ଘଟିଛି। ସେହି ପରି ବାରଣାସୀର ଲୋହଟା ଥାନା ଅନ୍ତର୍ଗତ ଖେବଶିପୁର ଗାଁରେ ଅପରାହ୍ନ ୧ଟାରେ ବଜ୍ରପାତ ଘଟିବାରୁ ଚାଷ ଜମିରେ କାମ କରୁଥିବା ଜଣଙ୍କ ମୃତ୍ୟୁ ଘଟିଛି।
ସେହି ପରି ମିର୍ଜାପୁରର ମଡିହାନ ଥାନା ଅନ୍ତର୍ଗତ ମଲୁଆରେ ଗାଈ ଚରାଇବାକୁ ଯାଇଥିବା ୧୦ ବର୍ଷୀୟ ବାଳକ ଏବଂ ୪୫ ବର୍ଷୀୟ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ପଡରି, ଜୌନପୁର, ନେବଢ୍ୟା ଥାନା ଅନ୍ତର୍ଗତ ଚକଇପୁର ଗାଁରେ ବ୍ରଜପାତ କାରଣରୁ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ପରି ପୂର୍ବାଞ୍ଚଳରେ ବଜ୍ରପାତ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ଘଟିଛି।