ମସ୍ଜିଦରେ ଭୟଙ୍କର ଶବ୍ଦ କରି ଫାଟିଲା ଏସି: ୧୨ ମୃତ, ୪୦ରୁ ଅଧିକ ଆହତ
5/09/2020 at 4:05 PM

ଢାକା ୦୫/୦୯: ବାଂଲାଦେଶର ଫତୁଲ୍ଲାହ ସହରରେ ଥିବା ଏକ ମସଜିଦ୍ରେ ଘଟିଯାଇଛି ଅଭାବନୀୟ ଘଟଣା । ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏସି ବିସ୍ଫୋରଣ ହେବା ଫଳରେ ୧୨ ଜଣଙ୍କ ଜୀବନ ଯାଇଛି। ଏହାସହ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଫତୁଲ୍ଲାହ ସହରରେ ଥିବା ସଲାମ ମସଜିଦରେ ଶୁକ୍ରବାର ରାତି ପ୍ରାୟ ୮.୪୫ରେ ବିସ୍ଫୋରଣ ଘଟିଥିଲା । ଏହି ସମୟରେ ଲୋକେ ନମାଜ ସାରି ଛିଡ଼ା ହୋଇଥିଲେ ।
ଯାଞ୍ଚରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମେ ଗୋଟିଏ ଏସିରେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିଲା । ଏହାପରେ ଅନ୍ୟ ଏସି ଗୁଡ଼ିକ ମଧ୍ୟ ବିସ୍ଫୋରଣ ହୋଇଥିଲା । ସେପଟେ ଡାକ୍ତରଙ୍କ ମତରେ ୨୭ ଜଣ ଅତି ଗମ୍ଭୀର ଭାବେ ଆହତ ହୋଇଥିବା ବେଳେ ସୋମନଙ୍କ ଶରୀରର ୯୯ ପ୍ରତିଶତ ଜଳିଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମସଜିଦର ତଳେ ଏକ ଗ୍ୟାସ୍ ପାଇପ୍ ଳାଇନ୍ ଯାଇଛି । ଯେଉଁଥିରେ ତ୍ରୁଟି ଥିବା ନେଇ ମସଜିଦ ସମିତ ସଦସ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କର୍ତ୍ତୃପକ୍ଷ ଏହି କଥାକୁ ଗୁରୁତ୍ବ ଦେଇନଥିଲେ । ତେବେ ଗ୍ୟାସ୍ ପାଇପ ଲାଇନ୍ରୁ ଗ୍ୟାସ୍ ବାହାରି ମସଜିଦ୍ ଭିତରେ ଜମା ହୋଇଯାଇଥିଲା । ଝରକା ବନ୍ଦ ଥିବାରୁ ଏସି ଚାଲିବା ପରେ ବିସ୍ଫୋରଣ ହୋଇଥିବା ଅଗ୍ନିଶମ କର୍ମଚାରୀ ପ୍ରକାଶ କରିଛନ୍ତି ।
ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଥିଲେ । ଏଭଳି ଏକ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ନିର୍ଦେଶ ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା।