ଇନ୍ଦୋରର ଯେଉଁ ଇଲାକାରେ ଡାକ୍ତରଙ୍କ ଉପରେ ହୋଇଥିଲା ଆକ୍ରମଣ, ସେଠାରୁ ଚିହ୍ନଟ ହେଲେ ୧୨ କରୋନା ପଜିଟିଭ୍‌

Published By : Prameya-News7 Bureau | April 05, 2020 IST

ଇନ୍ଦୋର, ୦୫।୦୪: ଇନ୍ଦୋରର ଟାଟପଟ୍ଟି ବାଖଲ ଇଲାକାରେ ଗତ ଦିନରେ ଯେଉଁଠି ଡାକ୍ତରୀ ଦଳ ଉପରେ ଆକ୍ରମଣ ହୋଇଥିଲା ଖୋଦ୍ ସେହି ଇଲାକାରୁ କରୋନା ସଂକ୍ରମିତ ଏକ କି ଦୁଇ ଜଣ ନୁହେଁ ଏକା ଥରକେ ୧୨ ଜଣ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ଉପରେ ହୋଇଥିବା ପଥରମାଡ ଘଟଣାକୁ ସମଗ୍ର ଦେଶରେ ନିନ୍ଦା କରାଯାଇଛି ।  ସ୍ୱଚ୍ଛତାରେ କ୍ରମାଗତ ତିନି ଥର ଶୀର୍ଷ ସ୍ଥାନରେ ରହିଥିବା ଇନ୍ଦୋରର ନାମ ଏହି ଘଟଣାରେ ଖରାପ ହୋଇଛି ।

ସୂଚନା ଅନୁଯାୟୀ  ଇନ୍ଦୋରର ଯେଉଁ ଇଲାକାରେ କରୋନା ସଂକ୍ରମଣ ଯାଞ୍ଚ ପାଇଁ ଯାଇଥିବା ଡାକ୍ତରୀ ଦଳ ଉପରେ ଆକ୍ରମଣ ହୋଇଥିଲା ସେହି ଟାଟପଟ୍ଟି ବାଖଲରୁ ୧୨ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଯଦି ଏମାନଙ୍କୁ ଠିକ୍ ସମୟ ପୂର୍ବରୁ  କ୍ୱାରେନଟାଇନ  କରାଯାଇନଥାନ୍ତା ତେବେ ଏହି ଅଞ୍ଚଳ ସହିତ ସହରର ଶତାଧିକ ଲୋକ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥାନ୍ତେ ।

ଉଲ୍ଲେଖନୀୟ ଟାଟପଟ୍ଟି ବାଖଲରେ ୧୧ ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ଏହି ଇଲାକାର ୬୮ ଜଣଙ୍କୁ କ୍ୱାରେନଟାଇନ୍ କରିଥିଲେ, ମାତ୍ର ଏବେ ଯାଞ୍ଚ ପରେ ୧୨ ଜଣ କରୋନା ପଜିଟିଭ୍ ଥିବା ସାମ୍ନାକୁ ଆସିଛି।

ଏହା ସହିତ ଇନ୍ଦୋରରେ କରୋନା ପଜିଟିଭ୍ ସଂଖ୍ୟା୧୨୮ରେ ପହଁଚିଛି । ଏହି ମହାମାରୀ ରୋଗରେ ୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଇନ୍ଦୋରରେ ସହରରେ ଅଦ୍ୟାବଧି ମୋଟ୍ ୭୦୦ରୁ ଅଧିକ ଲୋକଙ୍କୁ କ୍ୱାରେନଟାଇନ୍ କରାଯାଇଛି । ଶନିବାର ଉଷା ଗଞ୍ଜରେ ୨୨ରୁ ଅଧିକ ଲୋକଙ୍କୁ ଆଇସୋଲେଟେଡ୍ କରାଯାଇଛି । ଏଥିରେ ଅନେକ ଶିଶୁ ମଧ୍ୟ ସାମିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.