ଚୀନ ସୁନା ଖଣି ବିସ୍ଫୋରଣ: ସପ୍ତାହେ ହେଲା ୨୦୦୦ ଫୁଟ୍ ତଳେ ମରଣ ସହ ସଂଘର୍ଷ କରୁଛନ୍ତି ଫଶିଥିବା ୧୨ ଶ୍ରମିକ, ଉଦ୍ଧାରକାରୀ ଦଳକୁ ମିଳିଲା ହାତ ଲେଖା ଚିଠି
18/01/2021 at 10:20 PM

ନୂଆଦିଲ୍ଲୀ ୧୮।୦୧: ଚୀନର ସୁନା ଖଣିରେ ବିସ୍ଫୋରଣ ଯୋଗୁଁ ଏକ ସପ୍ତାହ ପର୍ଯ୍ୟନ୍ତ ୨୦୦୦ ଫୁଟ୍ ତଳେ ଫଶି ରହିଥିବା ୨୨ ଜଣ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣ ଜୀବିତ ଅଛନ୍ତି। ସେମାନେ ବର୍ତ୍ତମାନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଶ୍ରମିକ ସାହାଯ୍ୟ ପାଇଁ ହାତ ଲେଖା ଚିଠି ଲେଖିଥିବା ଚାଇନିଜ୍ ରାଜ୍ୟ ଗଣମାଧ୍ୟମ ତରଫରୁ ପ୍ରକାଶ।
ଗତକାଲି ରାତିରେ ଜଣେ ଶ୍ରମିକ ହାତରେ ଚିଠି ଲେଖି ଉଦ୍ଧାରକାରୀ ଦଳଙ୍କୁ ସେମାନଙ୍କ ସଠିକ୍ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ଜରୁରୀ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଚିଠିରେ ଲେଖା ହୋଇଥିବା ରାଜ୍ୟ ପ୍ରସାରଣକାରୀ ସିସିଟିଭି କହିଛି।
ପୂର୍ବ ଚୀନର ସେଡୋଙ୍ଗ ପ୍ରାନ୍ତରେ ଜାନୁଆରୀ ୧୦ରେ ସୁନା ଖଣିରେ ଘଟିଥିବା ବିସ୍ଫୋରଣ ପରେ ଖଣିର ପ୍ରବେଶ ଦ୍ଵାରରୁ ୬୦୦ ମିଟର ତଳେ ୨୨ ଶ୍ରମିକ ଫଶି ଯାଇଥିଲେ। ଅନ୍ୟ ୧୦ ଜଣ ଶ୍ରମିକଙ୍କ ସ୍ଥିତି ବିଷୟରେ କିଛି ଜଣା ପଡିନଥିବା ଚିଠିରେ କୁହାଯାଇଛି।
ଫଶି ଥିବା ଶ୍ରମିକଙ୍କ ବିଷୟରେ କୌଣସି ସୂଚନା ନମିଳିବାର କିଛି ଦିନ ପରେ ରବିବାର ଅପରାହ୍ନରେ ଉଦ୍ଧାରକାରୀ ଦଳଙ୍କୁ କିକ୍ସିଆ ସହର ନିକଟ ଖଣିରେ ଡ୍ରିଲ୍ କରୁଥିବା ବେଳେ କିଛି ଖଟ୍ ଖଟ୍ ଶବ୍ଦ ଶୁଣିବାକୁ ପାଇଥିଲେ।
ସିସିଟିଭି ଅନୁଯାୟୀ ଉଦ୍ଧାରକାରୀ ଦଳ ପ୍ରାୟ ୧୦ଟାରେ ଖଣି ତଳେ ଫଶି ରହିଥିବା ଶ୍ରମିକଙ୍କ ନିକଟକୁ ପେନସିଲ, କାଗଜ ସହିତ ଅକ୍ସିଜେନ ଓ ଅନ୍ୟ ଜରୁରୀ ଜିନିଷ ପଠାଇଛନ୍ତି। ଏକ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଗଭୀର ଗର୍ତ୍ତରୁ ଏକ ନୋଟ୍ ବାହାର କରିଥିଲେ। ଏଥିରେ ଅତି କମରେ ୧୨ ଜଣ ଶ୍ରମିକ ଜୀବିତ ଥିବା ଉଲ୍ଲେଖ ରହିଥିଲା।
ବଞ୍ଚିଥିବା ଶ୍ରମିକ ସାହାଯ୍ୟର ଗୁହାରି ଲଗାଇ କହିଛନ୍ତି ଯେ, କିଛି ଶ୍ରମିକଙ୍କ ଅବସ୍ଥା ବିଗିଡିବାରେ ଲାଗିଛି ଏବଂ ଖଣି ଭିତରେ ଅବସ୍ଥା ଖରାପ ହେବାରେ ଲାଗିଛି। ଆମକୁ ଔଷଧ, ଯନ୍ତ୍ରଣା ନିବାରକ, ମେଡିକାଲ ଟେପ୍ ଆବଶ୍ୟକ। ତିନି ଜଣଙ୍କ ରକ୍ତଚାପ ବଢୁଥିବା ଚିଠିରେ ଶ୍ରମିକ ଲେଖିଛନ୍ତି।
ଚିଠି ଅନୁଯାୟୀ, ୪ ଜଣ ଆହତ ହୋଇଛନ୍ତି, ଯେଉଁମାନେ ପାଣିରେ ବୁଡି ଯାଇଥିଲେ। ଚିଠି ଲେଖିଥିବା ଶ୍ରମିକ କହିଛନ୍ତି ଯେ, ଆମକୁ ତୁରନ୍ତ ଔଷଧ ଦିଆଯାଉ। ଏଠାରେ ବଡ ମାତ୍ରାରେ ଭୂମିଗତ ପାଣି ରହିଛି। ଏହି ଚିଠି ପ୍ରଶାସନଙ୍କ ପକ୍ଷରୁ ଫଶିଥିବା ଲୋକଙ୍କ ଉଦ୍ଧାର ପାଇଁ ବଡ ଧରଣର ଅପରେସନ ଆରମ୍ଭ ହୋଇ ଯାଇଛି।