କରୋନାରେ ଶିକ୍ଷା ବ୍ୟବସ୍ଥା ଧୂଳିସାତ, ଘରୋଇ ସ୍କୁଲରୁ ୧୨.୫ଲକ୍ଷ ଛାତ୍ରଛାତ୍ରୀ ନିଖୋଜ, ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ ୩।୭: କରୋନା ଭାଇରସ ମହାମାରୀ ଭାରତୀୟ ବ୍ୟବସ୍ଥାକୁ ଆଣ୍ଠେଇ ଦେଇଛି। ଏଥିରୁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ମଧ୍ୟ ବାଦ ପଡିନି। ୨୦୨୦ ପରେ ୨୦୨୧ରେ ଦ୍ୱିତୀୟ ଲହର ଦେଶକୁ ଆପେ ଆପେ ଲକଡାଉନକୁ ନେଇଥିଲା। ସ୍ଥାନୀୟ ପ୍ରଶାସନ ଦିନଦିନ ଅଞ୍ଚଳ ସିଲ କରି ରଖିଥିବା ବେଳେ ବ୍ୟବସାୟ, ବୃତ୍ତି, ଶିକ୍ଷା ସମେତ ସମାଜର ସବୁ ବ୍ୟବସ୍ଥା ପ୍ରଭାବିତ ହୋଇଛି। ତେବେ ଏଥିରେ ବିଦ୍ୟାଳୟ ଶିକ୍ଷା ଧୂଳିସାତ ହୋଇଥିବା ପ୍ରଥମ ଥର ଜଣାପଡିଛି।

{"id":475090,"width":838,"height":471,"sizeSlug":"large","linkDestination":"none"}

ଏକ ରିପୋର୍ଟରୁ ହରିୟାଣାର ବିଭିନ୍ନ ଘରୋଇ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାର ୩ ମାସ ବିତିଯିବା ପରେ ବି ୧୨.୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରିଆଡମିସନ କରି ନଥିବା ଜଣାପଡିଛି। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ହୁଏତ ସ୍କୁଲ ଡ୍ରପ କରିଥିବା ଆଶଙ୍କାରେ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଘରୋଇ ଶିକ୍ଷା ଅନୁଷ୍ଠାନମାନେ ନିର୍ଦ୍ଦେଶାଳୟଙ୍କୁ ଦେଇଥିବା ରିପୋର୍ଟରେ ଗତବର୍ଷର ୨୯.୮୩ଲକ୍ଷ ଛାତ୍ରଛାତ୍ରୀଙ୍କ ତୁଳନାରେ ଚଳିତବର୍ଷ ଜୁନ ୨୮ ତାରିଖ ସୁଦ୍ଧା ୧୭.୩୧ଲକ୍ଷ ଛାତ୍ରଛାତ୍ରୀ ୨୦୨୧-୨୨ ଶିକ୍ଷାବର୍ଷରେ ପାଠପଢିବା ଲାଗି ନାମ ଲେଖାଇଥିବା ସୂଚିତ କରିଛନ୍ତି।

{"id":475091,"sizeSlug":"large","linkDestination":"none"}

ଏଥିରୁ କରୋନା ଯୋଗୁ ଅନଲାଇନ ପାଠପଢାରେ ଜରୁରି ଗେଜେଟ୍‌ ଅଭାବରୁ ହୁଏତ ଛାତ୍ରଛାତ୍ରୀ ସ୍କୁଲ ଛାଡିଥିବା ଆଶଙ୍କା କରାଯାଉଛି। ହରିୟାଣାରେ ୧୪ ହଜାର ୮୦୦ଟି ସରକାରୀ ବିଦ୍ୟାଳୟ ଥିବା ବେଳେ ୮ ହଜାର ୯୦୦ଟି ଘରୋଇ ସ୍କୁଲ ରହିଛି। ତେବେ ଘରୋଇ ସ୍କୁଲମାନଙ୍କରେ ପଢୁଥିବା ୧୨.୫୧ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ତଥ୍ୟ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ (ଏମଆଇଏସ୍‌)ରେ ନଥିବା ଶିକ୍ଷାନିର୍ଦ୍ଦେଶାଳୟ ଚଳିତ ସପ୍ତାହରେ ସୂଚିତ କରିଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ଡାଟା ଅପଡେଟ କରିବା ଲାଗି ଘରୋଇ ସ୍କୁଲ ମୁଖ୍ୟ ଓ ମ୍ୟାନେଜମେଣ୍ଟଙ୍କୁ ବୈଠକ ଲାଗି ନିର୍ଦ୍ଦେଶାଳୟ ଆମନ୍ତ୍ରଣ କରିଛନ୍ତି।

{"id":475092,"sizeSlug":"large","linkDestination":"none"}

ତେବେ ଅଧିକାରୀଙ୍କ ସୂଚନା ଅନୁସାରେ ଘରୋଇ ସ୍କୁଲଙ୍କ ଫି ନେଇ ଅନେକ ଛାତ୍ରଛାତ୍ରୀ ରିଆଡମିସନ ହୁଏତ କରି ନଥାଇପାରନ୍ତି। ସେହିପରି ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ହୁଏତ ସରକାରୀ ବିଦ୍ୟାଳୟମାନଙ୍କୁ ଟ୍ରାନ୍ସଫର ନେଇ ଯାଇଥାଇ ପାରନ୍ତି ବୋଲି ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି। ହରିୟାଣା ଶିକ୍ଷାମନ୍ତ୍ରୀ କମ୍ବରପାଲ ଗୁର୍ଜର ଚଳିତବର୍ଷ ଓ ଗତବର୍ଷ ଶିକ୍ଷାକ୍ରମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଏତେ ଅନ୍ତର ବାସ୍ତିବକ ଚିନ୍ତାଜନକ ବୋଲି କହିଛନ୍ତି। ସେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି ମଧ୍ୟ ଗଣମାଧ୍ୟମକୁ ସୂଚିତ କରିଛନ୍ତି। ଏଥିରେ ଏକ ଘରୋଇ ସ୍କୁଲର ମ୍ୟାନେଜମେଣ୍ଟ ସଦସ୍ୟ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଠପଢା ହେବନି ବୋଲି ଅଭିଭାବକ ଭାବିନେଲେଣି ବୋଲି କହିଛନ୍ତି। ଏଣୁ ନିମ୍ନ ଶ୍ରେଣୀରେ ପାଠ ପଢୁଥିବା ସେମାନଙ୍କ ପିଲାଙ୍କୁ ପୁଣି ସ୍କୁଲରେ ରିଆଡମିସନ କରାଇ ନାହାନ୍ତି।  ସେପଟେ ଶିକ୍ଷା ଅଧିକାର ଆଇନରେ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଡମିସନରେ କୌଣସି ବାଧା ନାହିଁ। ଏଣୁ ହୁଏତ ଏହି ଛାତ୍ରଛାତ୍ରୀ ଶିକ୍ଷାବର୍ଷ ଆରମ୍ଭରେ ସରକାରୀ ସ୍କୁଲକୁ ଚାଲିଯାଇଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.