ଆମେରିକାରେ ୧୧ ଭାରତୀୟଙ୍କ ମୃତ୍ୟୁ : ଆଉ ୧୬ ଜଣ ମଧ୍ୟ କରୋନା ଆକ୍ରାନ୍ତ
9/04/2020 at 3:31 PM

ୱାସିଂଟନ ୦୯/୦୪ : ଆମେରିକାରେ କରୋନା ଯୋଗୁଁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି | ଅନ୍ୟ ୧୬ ଜଣ ଭାରତୀୟଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଥିବା ଜଣାପଡିଛି | ଦେଶରେ ଏପର୍ଯ୍ୟନ୍ତ ୧୪ ହଜାର ୭୯୫ ଜଣଙ୍କ ମୃତ୍ୟୁ ହୋଇସାରିଛି | ଆମେରିକାରେ ୪ ଲକ୍ଷ ୩୫ ହଜାର ଲୋକ ଏହି ଭୟାବହ ମହାମାରୀରେ ସଂକ୍ରମିତ ହୋଇସାରିଛନ୍ତି | ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି |
ସୂଚନାନୁଯାୟୀ, ଆମେରିକାରେ ସଂକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟଙ୍କ ମଧ୍ୟରୁ ସମସ୍ତେ ପୁରୁଷ | ଏମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କ ଓ ନ୍ୟୁଜର୍ସିରେ ରହୁଥିଲେ | ଏମାନଙ୍କ ମଧ୍ୟରୁ ୪ଜଣ ନ୍ୟୁୟର୍କରେ କ୍ୟାବ ଡ୍ରାଇଭର ଭାବେ କାମ କରୁଥିଲେ | ବର୍ତ୍ତମାନ ନ୍ୟୁୟର୍କ କରୋନା ଭାଇରସର ଆକ୍ଟିଭ କେନ୍ଦ୍ର | ଏଠାରେ ବର୍ତ୍ତମାନ ୬ ହଜାରରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି ଏବଂ ୧ ଲକ୍ଷ ୫୧ ହଜାରରୁ ଅଧିକ ସଂକ୍ରମଣ ମାମଲା ସ୍ପଷ୍ଟ ହୋଇଛି |
ଫ୍ଲୋରିଡ଼ାରେ ମଧ୍ୟ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି | କାଲିଫର୍ନିଆ ଓ ଟେକ୍ସାସରେ ଆହୁରି ଭାରତୀୟଙ୍କ ପରୀକ୍ଷା କରାଯାଉଛି | ୧୬ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି | ସମସ୍ତେ ବର୍ତ୍ତମାନ ସେଲ୍ଫ କ୍ଵାରେଣ୍ଟାଇନରେ ଅଛନ୍ତି | ଏମାନଙ୍କ ମଧ୍ୟରୁ ୮ଜଣ ନ୍ୟୁୟର୍କର, ୩ ଜଣ ନ୍ୟୁଜର୍ସିର ଏବଂ ବାକିତକ କାଲିଫର୍ନିଆ ଓ ଟେକ୍ସାସର ଅଛନ୍ତି | ଏମାନେ ଭାରତର ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର |
ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ସ୍ଥାନୀୟ ଅଧିକାରୀ ଓ ଭାରତୀୟ-ଆମେରିକୀୟ ସଂଗଠନ ସହ ମିଶି କାମ କରୁଛନ୍ତି ଯେପରିକି କରୋନା ପ୍ରଭାବିତ ଭାରତୀୟଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇପାରିବ | ଏହା ପୂର୍ବରୁ ଭାରତୀୟ ମୂଳର ଜଣେ ସାମ୍ବାଦିକ ୬୬ ବର୍ଷ ବୟସ୍କ ବ୍ରହ୍ମା କଞ୍ଚିବୋତଲାଙ୍କ ନ୍ୟୁୟର୍କରେ ମୃତ୍ୟୁ ହୋଇଛି |