Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଟିଏ ସ୍ଥାନରୁ ଓଡ଼ିଶା ଆସୁଛନ୍ତି ୨୩ ଜିଲ୍ଲାର ୧୧୫୦ ଜଣ ପ୍ରବାସୀ ଓଡ଼ିଆ

2/05/2020 at 10:20 PM

ଭୁବନେଶ୍ବର୨/୫: ଲକ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଆଜି ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ନବୀନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା ବେଳେ ଉପସ୍ଥିତ ଥିଲେ ।

ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ସହ ନବୀନ ଆଲୋଚନା କରିଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଦୁଇ ରାଜ୍ୟରେ ଥିବା ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଉଦ୍ୟମ କରାଯିବ । ରବିବାର ଏକ ସ୍ବତନ୍ତ୍ର ଟ୍ରେନ୍ ରେ ବେଙ୍ଗଳୁରୁରୁ ଫେରିବେ ଓଡ଼ିଆ ଶ୍ରମିକ । ଆନ୍ଧ୍ରରେ ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସହାୟତା ପାଇଁ ଜଗନ ମୋହନଙ୍କୁ ପ୍ରଶଂସା କରିଛନ୍ତି ନବୀନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ ଆଲୋଚନା କରିଥିଲେ ।

ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରିବା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ପରେ ପ୍ରବାସୀ ଓଡ଼ିଆଙ୍କ ମୁହଁରେ ହସ ଫୁଟିଛି । ପ୍ରବାସୀ ଓଡ଼ିଆ ଫେରିବା ନେଇ ‘ଅପରେସନ ଶୁଭଯାତ୍ରା’ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ୩ଟି ସ୍ପେଶାଲ ଟ୍ରେନ୍ ଓଡ଼ିଶା ଅଭିମୁଖେ  ଆସୁଛି। ୨ଟି ଟ୍ରେନ୍ ଗୁଜରାଟର ସୁରଟରୁ ଏବଂ ଗୋଟିଏ ଟ୍ରେନ୍ କେରଳର ଏର୍ଣ୍ଣାକୁଲମରୁ ବାହାରିବ।  କେରଳରୁ ଟ୍ରେନରେ ୨୩ ଜିଲ୍ଲାର ୧୧୫୦ ଜଣ ଓଡ଼ିଶା ଆସୁଛନ୍ତି, ସେଥିରେ କନ୍ଧମାଳରୁ ୩୮୨, କେନ୍ଦ୍ରାପଡ଼ାରୁ ୨୮୩ ଓ ଗଞ୍ଜାମରୁ ୧୩୦ ଜଣ ଅଛନ୍ତି । ସେହିପରି ସୁରଟରୁ ବ୍ରହ୍ମପୁର ଅଭିମୁଖେ ଆସୁଛି ୨ଟି ସ୍ବତନ୍ତ୍ର ଟ୍ରେନ୍ ।  ଶ୍ରମିକ ସ୍ପେସାଲ ଟ୍ରେନ ଭାବେ ଏଥିରେ ୧୨ ଶହ ଜଣ ବାହାରିଛନ୍ତି।  ଏହି ଟ୍ରେନକୁ ଜଗନ୍ନାଥପୁରରେ ଅଟକାଇବାକୁ ରାଜ୍ୟ ସରକାର ରେଳବାଇକୁ ଅନୁରୋଧ କରିଛନ୍ତି । ସେପଟେ ଟ୍ରେନରୁ ଆସୁଥିବା ଓଡ଼ିଆଙ୍କ  ଯାତ୍ରା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା କେରଳ ପୋଲିସ ମହାନିର୍ଦେଶକ ଲୋକନାଥ ବେହେରା ସୂଚନା ଦେଇଛନ୍ତି ।

ଗତକାଲି କେରଳରୁ ଯେତେବେଳେ ଓଡ଼ିଆମାନଙ୍କୁ ନେଇ ଟ୍ରେନ ଆସିଥିଲା ସେତେବେଳେ ସେଠାରେ ତାଳିମାରି ସ୍ଥାନୀୟ ଲୋକମାନେ ବିଦାୟ ଦେଇଥିଲେ। ଷ୍ଟେସନ ଛାଡ଼ିବା ପୂର୍ବରୁ ଟ୍ରେନ୍ ଗୁଡ଼ିକୁ ବିଶୋଧନ କରାଯାଇଛି। ପ୍ରବାସୀଙ୍କ ଯିବା ଆସିବା ପାଇଁ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଟ୍ରେନ୍ ଚଳାଚଳ ପାଇଁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା। ସେ ଟ୍ରେନ ଚଳାଚଳ ନେଇ ରାଜ୍ୟର ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ। ସେହିପରି ଷ୍ଟେସନରେ ସେମାନେ ପହଞ୍ଚିବା ପରେ ସେମାନଙ୍କର କିଭଳି ବନ୍ଦୋବସ୍ଥ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।   ଟ୍ରେନ ଯୋଗେ ଆସୁଥିବା ଶ୍ରମିକଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହା ସହ ଯେଉଁ ଷ୍ଟେସନରେ ଶ୍ରମିକ ଓହ୍ଲାଇବେ ସେଠାରେ ମଧ୍ୟ ବିଶୋଧନ ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

   Related Posts