ବାଙ୍କୀ ଗୟଳବାଙ୍କରେ ଘାଇ : ପାଣି ଘେରରେ ୧୧୩ଗାଁ, ୧୦ରୁ ଅଧିକ ଗାଁରେ ପଶିଛି ପାଣି

Published By : Prameya-News7 Bureau | August 29, 2020 IST

କଟକ ୨୯।୮: ମହାନଦୀ ବନ୍ୟାରେ କଟକ ଜିଲ୍ଲା ପ୍ରଭାବିତ। ଜଳସମ୍ପଦ ବିଭାଗର ସବୁ ଦୃଢୋକ୍ତି ମିଳେଇ ଗଲା ମହାନଦୀ ବନ୍ୟା ପାଣିରେ । ବାଙ୍କୀ ସବଡିଭିଜନରେ ମହାନଦୀରେ ଘାଇ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାର ୧୧୩ଗାଁ ପାଣି ଘେରରେ ରହିଛି । ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ । ବୁଡିଗଲା ହଜାର ହଜାର ହେକ୍ଟର ଚାଷ ଜମି । ତା ପରେ ବି ଜିଲ୍ଲାପାଳ କହୁଛନ୍ତି ସବୁକିଛି ଠିକ୍ ଅଛି ।

ମହାନଦୀରେ ଉଛୁଳିଲା ବନ୍ୟାଜଳ । ବନ୍ଧ ବାଡ ଟଳ ମଳ । କଥା ଦେଇଥିଲେ ୧୬ଲକ୍ଷ ଘନଫୁଟ ପାଣି ଆସିଲେ ବି ପରବାୟ ନାହିଁ । ମାତ୍ର ସାଢେ ନଅ ଲକ୍ଷ ଘନଫୁଟ ପାଣି ଆସିଲା । ଆଗକୁ ଆସୁଛି ଆହୁରି ପାଣି । ମାତ୍ର ସାଢେ ନଅ ଲକ୍ଷ ଘନଫୁଟ ପାଣିରେ ମହାନଦୀରେ ହେଇଗଲା ବିରାଟ ଘାଇ । ବାଙ୍କୀର ଗୟଳବାଙ୍କ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଚାରିଟି ଗାଁ ପ୍ରଭାବିତ ହୋଇଛି । ସେପଟେ ତ୍ରିଶୁଳିଆ-ବାଙ୍କୀ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନ ସଜାଗ ଥିବା କଥା କହୁଥିବା ବେଳେ ଗୟଳବାଙ୍କରେ ସ୍ଥିତି ଟଳ ମଳ ବୋଲି ଲୋକେ ଖବର ଦେବ ପରେ ବି ପହଞ୍ଚିନଥିଲେ ପ୍ରଶାସନିକ କର୍ତ୍ତୃପକ୍ଷ ।

ଏହି ଘାଇ ସହ ବାଙ୍କୀ ନଦୀ ବନ୍ଧରେ ଏକାଧିକ ସ୍ଥାନରେ ଘଳିଆ ପଡିଥିବା ସୂଚନା ମିଳିଛି । କେବଳ ବାଙ୍କୀର ଶତାଧିକ ଗାଁ ପାଣି ଘେରରେ ରହିଛି । ବିଲିପଡା, ବିଲିତେନ୍ତୁଳିଆ, ଶୁଖୁଆଖଳା, ରତାଗଡ, ଅନୁଆରି, ନିସ୍ତିପୁର, କଇଁମୁଣ୍ଡି, ଗୋପାଳପୁର ଓ ପାଟପୁର ଆଦି ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି । ସେପଟେ ବିଧାୟକ କହିଛନ୍ତି ଚାଷବାସର କ୍ଷତି ଭରଣା କରାଯିବ । କିନ୍ତୁ ଘାଇ ହେବାର ତିନି ଘଣ୍ଟା ପରେ ଜିଲ୍ଲାପାଳ କହୁଛନ୍ତି ସେମିତି କିଛି ଅସୁବିଧା ହୋଇନି ।

ଆଜି ରାତିରେ ମୁଣ୍ଡଳୀ ନିକଟରେ ମହାନଦୀରେ ସାଢେ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ତେଣୁ ଜଳସ୍ତର ବଢିଲେ ପ୍ରଶାସନ କିଭଳି ମୁକାବିଲା କରିବ ତାକୁ ହିଁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.