ଦିଲ୍ଲୀ ନିର୍ବାଚନର ସବୁଠୁ ପାଓ୍ବାରଫୁଲ୍ ଫଟୋ :୧୧୧ବର୍ଷ ବୟସ୍କା ମହିଳା ଦେଲେ ଭୋଟ୍

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୮/୨: ଦିଲ୍ଲୀ ବିଧାନସଭା ନିର୍ବାଚନର ସମସ୍ତ ୭୦ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟିଙ୍ଗ୍ ଜାରି ରହିଛି। ମତଦାନ କେନ୍ଦ୍ରରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ମତଦାନ ଚାଲିଥିବାବେଳେ ଦିଲ୍ଲୀର ସବୁଠୁ ବୟସ୍କା ଭୋଟର କାଲିତାରା ମଣ୍ଡଲଙ୍କ ଫଟୋ ସାମନାକୁ ଆସିଛି। ତାଙ୍କ ବୟସ ୧୧୧ବର୍ଷ। ସେ ଦିଲ୍ଲୀର ଗ୍ରେଟର କୈଲାସ ବିଧାନସଭା ଅଞ୍ଚଳର ସିଆର ପାର୍କରେ ରୁହନ୍ତି। ଠିକ୍ ଭାବେ ଚାଲୁପାରୁନଥିବା ସତ୍ବେ କାଲିତାରା ମଣ୍ଡଲ ଭୋଟ୍ ଦେବାକୁ ପହଞ୍ଚିଛନ୍ତି। ଭୋଟ ଦେବା ପରେ ସେ କହିଛନ୍ତି ଯେ ଯେବେଠୁ ତାଙ୍କୁ ଆଇକାର୍ଡ଼ ମିଳିଛି ସେ ଲଗାତାର ଭୋଟ ଦେବାକୁ ଆସନ୍ତି।

ସେହି ପରି ବଦରପୁର ବିଧାନସଭା ଅଞ୍ଚଳରେ ୧୦୮ବର୍ଷ ବୟସର ସିତାରା ଜୈନ ଭୋଟ ଦେଇଛନ୍ତି। ସେ ତାଙ୍କ ପରିବାର ଲୋକଙ୍କ ସହ ଭୋଟ ଦେବାକୁ ଆସିଥିଲେ।

୧୦୨ବର୍ଷ ବୟସ୍କା ରାମକଲି ମଧ୍ୟ ନିଜ ନାତି ମନୀଷଙ୍କ ସହ ଭୋଟ ଦେବାକୁ ଆସିଥିଲେ। ସେ କହିଥିଲେ ଯେ ସେ ପ୍ରତ୍ୟେକ ନିର୍ବାଚନରେ ଭୋଟ ଦେବାକୁ ଆସନ୍ତି।

ଏହି ନିର୍ବାଚନ ମୁକାବିଲାରେ ଆପ୍,ବିଜେପି ଏବଂ କଂଗ୍ରେସ୍ ମଇଦାନରେ ଅଛନ୍ତି। ଏହି ନିର୍ବାଚନରେ ମୋଟ ୬୭୨ ପ୍ରାର୍ଥୀ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଦିଲ୍ଲୀରେ ୧,୪୭,୮୬,୩୮୨ ଭୋଟର ଅଛନ୍ତି ଯେଉଁମାନେ ଆଜି ସ୍ଥିର କରିବେ ଯେ ଦିଲ୍ଲୀର ଶାସନ ଭାର କାହା ହାତକୁ ମିଳିବ। ନିର୍ବାଚନର ଫଳାଫଳ ଫେବୃୟାରୀ ୧୧ତାରିଖରେ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.