ଲୁଚିଥିବା ଜମାତ ସଦସ୍ୟ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୧ହଜାର

Published By : Prameya-News7 Bureau | April 29, 2020 IST

ଲକ୍ଷ୍ନୌ ୨୯।୪: ଉତ୍ତରପ୍ରଦେଶର ଦେଓରିଆରେ ଏବେ ଜମାତ ସଦସ୍ୟଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୧ ହଜାର ଟଙ୍କା । ସଲେମପୁରରୁ ଲୋକସଭା ସଦସ୍ୟ ବିଜେପି ସାଂସଦ ରବୀନ୍ଦ୍ର କୁଶଓ୍ବା ଏଭଳି ଘୋଷଣା କରିଛନ୍ତି । ଅନ୍ୟ ରାଜ୍ୟରୁ ଆସିଥିବା ଲୋକ ଏବଂ ଲୁଚିଥିବା ଜମାତ ସଦସ୍ୟଙ୍କ ସମ୍ପର୍କରେ ଯିଏ ସୂଚନା ଦେବ ତାଙ୍କୁ ପୁରସ୍କାର ସ୍ବରୂପ ୧୧ ହଜାର ଟଙ୍କା ପ୍ରଦାନ କରାଯିବ ।

ବିଜେପି ସାଂସଦ ରବୀନ୍ଦ୍ର କୁଶଓ୍ବା କହିଛନ୍ତି ଯେ, ଆମେ ଆମ ଲୋକସଭା କ୍ଷେତ୍ରର ସମସ୍ତ ଲୋକଙ୍କୁ ଅପିଲ୍ କରୁଛୁ ଯେ ଯେଉଁମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି କିମ୍ବା ସନ୍ଦେହ ହେଉଛି ଯେ କେହି ଜମାତରୁ ଆସିଛନ୍ତି ଏବଂ ସଂକ୍ରମିତ ହୋଇପାରନ୍ତି ତେବେ ଆମକୁ ଏଭଳି ଲୋକଙ୍କ ବିଷୟରେ ଜଣାନ୍ତୁ । ଜାତି, ଧର୍ମ, ସମ୍ପ୍ରଦାୟ, ଧନୀ ଏବଂ ଗରିବ ଦେଖି କରୋନା ସଂକ୍ରମଣ କରେ ନାହିଁ, ଏହା କାହାକୁ ବି ସଂକ୍ରମିତ କରିପାରେ ।

ବିଜେପି ସାଂସଦ ରବୀନ୍ଦ୍ର କୁଶଓ୍ବା କହିଛନ୍ତି ଯେ, ଯଦି ଏପରି ଲୋକଙ୍କ ବିଷୟରେ କିଛି ସୂଚନା ଅଛି, ତେବେ ଆମକୁ ଦିଅନ୍ତୁ । ଏହା ସହିତ ଆମେ ପ୍ରଶାସନକୁ ଜଣାଇବୁ । ଯଦି ଏପରି ସୂଚନା ଦିଅନ୍ତି କିମ୍ବା ଯିଏ ସଂକ୍ରମିତ ହୁଏ ଏବଂ ସେ ନିଜେ ସାମ୍ନାକୁ ଆସି ତାଙ୍କର ଯାଞ୍ଚ କରନ୍ତି, ତେବେ ଆମେ ତାଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ଦେବୁ । ଏହା ଏକ ସଂକ୍ରାମକ ରୋଗ । ଜଣଙ୍କଠାରୁ ଅନ୍ୟଜଣଙ୍କୁ ବିସ୍ତାର କରେ ।

ଲୋକଙ୍କୁ ଅପିଲ୍ କରି ବିଜେପି ସାଂସଦ ରବୀନ୍ଦ୍ର କୁଶଓ୍ବା କହିଛନ୍ତି ଯେ, ମହାମାରୀ ଶେଷ କରିବାରେ ଆପଣ ସହଯୋଗ କରିବା ଉଚିତ୍ । ଆମ ତରଫରୁ ଆମେ ଆପଣଙ୍କୁ ଉତ୍ସାହିତ କରିବୁ । ସନ୍ଦିଗ୍ଧ କରୋନା ରୋଗୀ ଆସି ସେମାନଙ୍କ ଚିକିତ୍ସା କରାଇଲେ ଆମେ ଆମ ତରଫରୁ ୧୧ ହଜାର ଟଙ୍କା ଦେବୁ ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲୋକ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ମୋଟ୍ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨ ହଜାର ୪୩ ରହିଛି । ଏଥିମଧ୍ୟରୁ ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦୦ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ୟୁପିରେ ଅଧିକାଂଶ ମାମଲା ତବଲିଗୀ ଜାମାତ ସହିତ ଜଡିତ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.