ଓଡ଼ିଶାରୁ ସୋନୁ ସୁଦ୍ଙ୍କୁ ପଠାଯିବ ୧୧ ହଜାର ‘ଥ୍ୟାଙ୍କ୍ ୟୁ’ ପତ୍ର
12/06/2020 at 12:50 PM

ଜଗତସିଂହପୁର,୧୨/୬: ଜଣେ ପୁଲିସ ଏସ୍ଆଇଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜଣେ କଲେଜ ଛାତ୍ରୀ । ଅଭିଯୋଗ ଅନୁସାରେ, ରାହାମାସ୍ଥିତ ଏକ କୋଚିଂ ସେଣ୍ଟର୍କୁ ନେବା ଆଣିବା କରିବାର ମଉକା ଉଠାଇ ସଂପୃକ୍ତ ଏସ୍ଆଇ ଏକୁଟିଆ ଘରେ ଥିବା ସମୟରେ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ । ପରେ ପୁଲିସ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ପୁଲିସ ବିଭାଗର ଉଚ୍ଚାଧିକାରୀଙ୍କୁ ଦେଖା କରାଇବା କଥା କହି କଟକ ନେଇ ଯାଇଥିଲେ ।
ସେଠାରେ ମଙ୍ଗଳାବାଗସ୍ଥିତ ନିଜ ଭଡ଼ା ଘରେ ଯୁବତୀଙ୍କୁ ବଳାତ୍କାର କରିଥିଲେ । ଏପରିକି ଛାତ୍ରୀଙ୍କ ନଗ୍ନ ଫଟୋ ଉଠାଇ ଏସବୁ କଥା କାହାକୁ କହିଲେ ଫଟୋ ଭାଇରାଲ୍ କରିଦେବାର ଧମକ ଦେଇଥିଲେ । କେବଳ ସେତିକି ନୁହେଁ, ସଂପୃକ୍ତ ଏସ୍ଆଇ ଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକର ନିଜ ଗାଁ ଘରକୁ ନେଇ ସେଠାରେ ରଖି ବଳାତ୍କାର କରିଥିଲେ । ଏସବୁ ବିଷୟ ଜାଣି ବି ପାଟି ଖୋଲି ନଥିଲେ ଏସ୍ଆଇଙ୍କ ବାପା । ଓଲଟା ବୋହୂ ହେବୁ ବୋଲି କହି କଥାକୁ ଏଡ଼ାଇ ଯାଇଥିଲେ । ଆସନ୍ତା ଦୁଇ ଦିନ ଭିତରେ ଅଭିଯୁକ୍ତ ଏସ୍ଆଇ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଓ ଛାତ୍ରୀଙ୍କୁ ଧମକାଉଥିବା ହେତୁ ଏହି ଲମ୍ପଟ ପୁଲିସ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡ଼ିତା ଛାତ୍ରୀ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
କୁଜଙ୍ଗ ଥାନା ଅଞ୍ଚଳର ଏକ ଗାଁର ବାସିନ୍ଦା ସଂପୃକ୍ତ ଛାତ୍ରୀଙ୍କ ପକ୍ଷରୁ ଏଭଳି ସଙ୍ଗିନ୍ ଅଭିଯୋଗ ଅଣାଯିବା ପରେ ଜଗତସିଂହପୁର ଜିଲ୍ଲା ପୁଲିସ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏଣେ ପୀଡ଼ିତା ନିଜ ଅଭିଯୋଗ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଏସ୍ପି, କେନ୍ଦ୍ରାପଡ଼ା ଏସ୍ପି, ମହିଳା କମିସନ ଅଧ୍ୟକ୍ଷାଙ୍କୁ ଜଣାଇଛନ୍ତି । ଛାତ୍ରୀଙ୍କ କହିବା ମୁତାବକ, ପାଖାପାଖି ବର୍ଷେ ଧରି ତାଙ୍କୁ ଏ ପ୍ରକାର ଯୌନ ଶୋଷଣ କରି ଆସୁଥିଲେ ସଂପୃକ୍ତ ଏସ୍ଆଇ । ବିବାହ କରିବାର ପ୍ରତିଶ୍ରୁତି ସାଙ୍ଗକୁ ପୁଲିସ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଏକାଧିକ ଥର ଯୌନଶୋଷଣ କରିଛନ୍ତି । ଏସ୍ଆଇ ଜଣକ ଏବେ କେନ୍ଦ୍ରାପଡ଼ା ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଥିବା କୁହାଯାଉଛି । ଏପଟେ ଉଭୟଙ୍କୁ ବିବାହ କରାଇଦେଇ ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ପୁଲିସ ପକ୍ଷରୁ ସଫେଇ ଦିଆଯାଇଛି ।
ଅନ୍ୟପକ୍ଷରେ ଛାତ୍ରୀଙ୍କ ସହ ଖୋଲା ଦେହରେ ଥିବା ଏସ୍ଆଇଙ୍କ ଏକ ଫଟୋ ଏବେ ଭାଇରାଲ୍ ହୋଇଛି । ଏଥିରେ ଅଶ୍ଲୀଳତା ନଥିଲେ ସୁଦ୍ଧା ଉଭୟଙ୍କ ଭିତରେ ନିବିଡ଼ ସଂପର୍କ ଥିବାର ଆଭାସ ମିଳୁଛି । ଏହାସତ୍ତେ୍ୱ କୁଜଙ୍ଗ ପୁଲିସ ମାମଲା ରୁଜୁ କରିବା ବଦଳରେ ସମୟ ଗଡ଼ାଇବା ପୀଡ଼ିତାଙ୍କ ପରିବାର ସମେତ ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି ।