କରୋନାକୁ ମାତ୍‌ ଦେଲେ ୧୧୦ ବର୍ଷ ବୟସର ପୂଜାରୀ, ସୁସ୍ଥ ହୋଇ ଘରକୁ ଫେରିଲେ

Published By : Prameya-News7 Bureau | May 14, 2021 IST

ହାଇଦ୍ରାବାଦ ୧୪।୦୫: କରୋନା ସଂକ୍ରମଣର ଦ୍ଵିତୀୟ ଲହରରେ ଦେଶର ସ୍ଥିତି ପୂରା ସଙ୍ଗୀନ। ଲୋକେ ମହାମାରୀରୁ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଯେଉଁଠି ଅଳ୍ପ ବୟସର ଲୋକେ କରୋନାରେ ପ୍ରାଣ ହରାଉଛନ୍ତି ସେଠି ୧୧୦ ବର୍ଷୀୟ ବୃଦ୍ଧ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି। ବୃଦ୍ଧାଙ୍କ ନାମ ରାମାନନ୍ଦ ତୀର୍ଥ। ଦେଶର ସବୁଠୁ ବୟୋଜ୍ୟୋଷ୍ଠ ବ୍ୟକ୍ତି ଭାବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ସେ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

ଏପ୍ରିଲ ୨୪ରେ ରାମାନନ୍ଦଙ୍କ ପ୍ରଥମ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବଂ ସେ ଗୁରୁତର ନଥିଲେ। ସେଥିପାଇଁ ତାଙ୍କୁ ସୁସ୍ଥ ହେବାରେ ଅଧିକ ସମୟ ଲାଗିନଥିଲା।

ଗାନ୍ଧୀ ହସ୍ପିଟାଲ୍‌ର ଅଧୀକ୍ଷକ ଏମ ରାଜା ରାଓ କହିଛନ୍ତି, ତୀର୍ଥ, ଯାହାଙ୍କ ବୟସ ୧୧୦ ବର୍ଷ। ସେ କରୋନା ସଂକ୍ରମିତ ହେବା ପରେ ଆମ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ସେ କରୋନାକୁ ମାତ୍ ଦେଇ ସୁସ୍ଥ ହେବାରେ ସଫଳ ହୋଇଛନ୍ତି।

ସେ କେଶର ଏକ ଆଶ୍ରମରେ ରୁହନ୍ତି। ଏହା ମଧ୍ୟ କୁହାଯାଏ ଯେ, ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ହିମାଳୟରେ ରହୁଥିଲେ। ପ୍ରାରମ୍ଭରୁ ସେ କରୋନା ଚିହ୍ନଟ ହେବା ଏବଂ ସଠିକ୍ ସମୟରେ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ଯୋଗୁଁ ସେ କରୋନାର ମୁକାବିଲା କରିପାରିଛନ୍ତି ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.