୧୧ ବର୍ଷ ତଳେ ହୋଇଥିଲା ସ୍ବାମୀଙ୍କ ହତ୍ୟା, ସ୍ତ୍ରୀଙ୍କ ଉପରେ ଚାଲିଥିଲା ମକଦ୍ଦମା, ଜୀବିତ ଅବସ୍ଥାରେ ଏବେ ଫେରିଲେ ସ୍ବାମୀ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | September 27, 2019 IST

ବରେଲି୨୭|୯: ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୧୧ ବର୍ଷ ପରେ ପୋଲିସ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିବା ସହ ଦୋଷୀକୁ ଗିରଫ କରିଛି। ୧୧ ବର୍ଷ ତଳର ମୃତ ବ୍ୟକ୍ତି ପୁଣି ଫେରି ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଉତ୍ତରପ୍ରଦେଶ ବରେଲିର ଗୁରୁନାନକ ନଗର ଅଞ୍ଚଳରେ ଘଟିଛି ଏହି ବିରଳ ଘଟଣା ।

ସୂଚନାଯୋଗ୍ୟ ଯେ, ୧୧ ବର୍ଷ ତଳେ ଜଗଜିତ୍‌ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା ।  ହଠାତ୍‌ ଜଗଜିତ ସିଂହ ଘରୁ କୁଆଡ଼େ ଗାୟବ ହୋଇଯାଇଥିଲେ। ସେ ଗାୟବ ହେବାପରେ ତାଙ୍କୁ ହତ୍ୟା କରାଯାଇଥିବା କଥା ସବୁଆଡ଼େ ପ୍ରଘଟ ହୋଇଯାଇଥିଲା। ଏହି ଘଟଣା ପୋଲିସ ଜାଣିବା ପରେ ଜଗଜିତଙ୍କ ସ୍ତ୍ରୀଙ୍କ ସମେତ ପରିବାର ଲୋକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା। ଏପର୍ଯ୍ୟନ୍ତ ବି ଜଗଜିତଙ୍କ ହତ୍ୟା ଘଟଣାରେ ତାଙ୍କ ପତ୍ନୀଙ୍କ ସମେତ ପରିବାର ଲୋକ ନାଁରେ ମକଦ୍ଦମା ବିଚାରଧୀନ ଅବସ୍ଥାରେ ରହିଛି।

ଜଗଜିତଙ୍କ ମୃତ ଶରୀର ମିଲିନଥିଲେ ମଧ୍ୟ ପରିପାର୍ଶ୍ବିକ ପରିସ୍ଥିତି ଆଧାରରେ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ବିରୋଧରେ ପୋଲିସ ମକଦ୍ଦମା ଚଳାଇଥିଲା। ତେବେ ଜଗଜିତଙ୍କ ହତ୍ୟା ହୋଇ ନଥିଲା ବରଂ ସେ ବେଶ ବଦଳାଇ ଜଳନ୍ଧରରେ ରହୁଥିଲେ। ସ୍ଥାନୀୟ ଲମ୍ବଡ଼ା ଥାନାର ଏସଏଚଓ ପୁଷ୍ପବାଲୀ ଓ ତାଙ୍କ ପୋଲିସ ଟିମ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛନ୍ତି।

ଜଳନ୍ଧରରେ ଗଜଜିତ ଜୀବିତ କଥା ପୋଲିସ ଜାଣିବା ପରେ ତୁରନ୍ତ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏହାପରେ ତାଙ୍କ ପତ୍ନୀ ଓ ପରିବାର ଲୋକ ଥାନାରେ ପହଞ୍ଚିଥିଲେ। ମିଛ କେସରେ ଛନ୍ଦି ହୋଇଥିବା ପରିବାର ଲୋକ ଓ ତାଙ୍କ ପତ୍ନୀ ମାମଲାରୁ ତ୍ରାହି  ପାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.